ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବାଲେଶ୍ଵରରେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ବୃହତ୍ ଶକ୍ତି ପ୍ରଦର୍ଶନ କରାଯାଇଛି। ଶନିବାର ଏଠାରେ ରାଜ୍ୟ ବିଜେପିର ୫ ଜଣ ତୁଙ୍ଗ ନେତା ଏକାଠି ହୋଇ ଶହ ଶହ ସମର୍ଥକଙ୍କ ସହ ରୋଡ୍ ସୋ’ କରିଛନ୍ତି। ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ ଓ ପ୍ରତାପ ଷଡ଼ଙ୍ଗୀ ସାମିଲ ହୋଇଥିଲେ।

ଶନିବାର ବିଜେପିର ବରିଷ୍ଠ ନେତାମାନେ ବାଲେଶ୍ଵରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ଥାନୀୟ ନେତାମାନେ ସ୍ଵାଗତ କରିଥିଲେ। ଏହାପରେ ଅପରାହ୍ଣ ୧୨ଟା ବେଳେ ରୋଡ୍ ସୋ’ ଆରମ୍ଭ ହୋଇଥିଲା। ବାଲେଶ୍ଵରର ମାହେଶ୍ଵରୀ ହଲ୍ ଯାଏଁ ରୋଡ୍ ସୋ’ ଚାଲିଥିଲା। ଏଥିରେ ବିଜେପିର ଅନେକ କର୍ମକର୍ତ୍ତା ସାମିଲ ହୋଇଥିଲେ।

ରୋଡ୍ ସୋ’ ପରେ ସବୁ ବରିଷ୍ଠ ନେତା ବାଲେଶ୍ଵର ମାହେଶ୍ଵରୀ ହଲରେ ଆୟୋଜିତ ହୋଇଥିବା ବିଜେପି କର୍ମକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ। ଏଠାରେ ସେମାନେ ନିଜ ସମ୍ବୋଧନରେ ବିଜେଡିକୁ କଡ଼ା ସମାଲୋଚନା କରିଥିଲେ।

“ଓଡ଼ିଶା ସବୁବେଳେ ବିଜେପିର ଫୋକସରେ ରହି ଆସିଛି। ଏଥର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାରୁ ବହୁତ ଆଶା ରଖିଛନ୍ତି। ରାଜ୍ୟରେ ବିଜେପିକୁ ସଫଳ କରିବାକୁ ଓଡ଼ିଶାବାସୀ ମଧ୍ୟ ମନସ୍ଥ କରିସାରିଛନ୍ତି। ଜୁନ୍ ୧୦ରେ ବିଜେପି ଓଡ଼ିଶାରେ ସରକାର ଗଠନ କରିବ”,କହିଛନ୍ତି ବୈଜୟନ୍ତ ପଣ୍ଡା।

ସେହିପରି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ବିଭିନ୍ନ ସମସ୍ୟା ନେଇ ଟାର୍ଗେଟ କରିଥିଲେ। ସେ କହିଥିଲେ, “ବିଜେଡି ରାଜ୍ୟରେ ସରକରୀତନ୍ତ୍ରକୁ ସମ୍ପୂର୍ଣ୍ଣ ଭାବେ ଆଉଟସୋର୍ସ କରିସାରିଛି। ଓଡ଼ିଶାରେ ସେମାନଙ୍କୁ କେହି ନେତା ମିଳୁନାହାନ୍ତି ବୋଲି ବାହାର ଲୋକଙ୍କୁ ବହୁତ ପ୍ରଶ୍ରୟ ଦେଉଛନ୍ତି। ଏହା ଓଡ଼ିଆ ଅସ୍ମିତା ପାଇଁ ଅପମାନ। ବିଜେପି ଆସିଲେ ଏହାର ପରିବର୍ତ୍ତନ ହେବ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଏହି ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସବୁ କର୍ମକର୍ତ୍ତାଙ୍କୁ ନିର୍ବାଚନ ପାଇଁ ଦଳର ପ୍ରଚାର କରିବା ବାବଦରେ ଉଦବୋଧନ ଦେଇଥିଲେ। ସେହପରି ଅପରାଜିତା ଷଡ଼ଙ୍ଗୀ ଓ ପ୍ରତାପ ଷଡ଼ଙ୍ଗୀ ଚଳିତ ନିର୍ବାଚନରେ ବିଜେପି ସବୁଠାରୁ ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭୋକ୍ତି ଭରିଥିଲେ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଲୋକସଭା ଆସନ ଅନ୍ତର୍ଗତ ସବୁ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଯୋଗ ଦେଇଥିଲେ। ଚଳିତ ନିର୍ବାଚନ ପାଇଁ ଏଠାରେ ଦଳର ରଣନୀତି ପ୍ରସ୍ତୁତ କରାଯାଇଥିଲା।       

Tags: #OdishaAssemblyElections2024 #BJP #ElectionCampaign #RoadShow #Baleswar #Odisha

LEAVE A REPLY

Please enter your comment!
Please enter your name here