ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଗୁରୁବାର ରାତିରେ ପିପିଲି ଓ ଆଠଗଡ଼ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲିର ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ କିଛି ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟଙ୍କ ସମେତ ଅନ୍ୟ ଦୁଇଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଆଠଗଡ଼ରେ ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି।
ଗୁରୁବାର ରାତିରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସହ କିଛି କର୍ମୀ ପିପିଲି ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ା ଦେଇ ଯାଉଥିବାବେଳେ ବିଜେଡିର ସ୍ଥାନୀୟ ନେତା ଓ କିଛି କର୍ମୀ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଗଦାଧରଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ପିପିଲିରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ତାଙ୍କ ସମର୍ଥକମାନେ ପିପିଲି ଥାନା ଘେରାଉ କରିଥିଲେ। ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅନ୍ୟପଟେ ଆଠଗଡ଼ ଥାନା ତରଡିଙ୍ଗ ଗାଁର ହରିଜନ ସାହିରେ ରାଜନୈତିକ ହିଂସାକାଣ୍ଡ ହୋଇଛି। ଗୁରୁବାର ରାତିରେ ଏଠାରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ଆସି ଟଙ୍କା ଓ ମାଦକ ଦ୍ରବ୍ୟ ବାଣ୍ଟୁ ଥିଲେ। ଏହି ଖବର ପାଇ ପ୍ରତିଦ୍ଵନ୍ଦ୍ଵୀ ଦଳର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ। ଏହାକୁ ନେଇ ଉତ୍ତେଜନା ପରେ ମାରପିଟ ହୋଇଥିଲା। ଏଥିରେ ଜଣେ ନାବାଳକଙ୍କ ସମେତ ୫ ଜଣ ଆହତ ହୋଇଥିଲେ। ପରେ ପୋଲିସ ଆସିବାରୁ ଉତ୍ତେଜନା ଶାନ୍ତ ପଡ଼ିଥିଲା।
Tags: #OdishaAssemblyElections2024 #PoliticalViolence #Pipili #Athagarh #ECI #Odisha