ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ ଓଡ଼ିଶାରେ ଜୋରଦାର ପ୍ରଚାର କରିଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ମଙ୍ଗଳବାର ସେ ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହିସବୁ ସଭାରେ ସେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଚଳିତ ନିର୍ବାଚନରେ ବିଜେପି ରାଜ୍ୟରେ ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ଭରିଛନ୍ତି।

“ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର। ହେଲେ ଓଡ଼ିଶାର ଯୁବପିଢ଼ି ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି। ଓଡ଼ିଶାକୁ କେନ୍ଦ୍ର ପକ୍ଷରୁ ଅନେକ ଅନୁଦାନ ମିଳୁଥିଲେ ମଧ୍ୟ ଏଠାକାର ସରକାର ରାଜ୍ୟକୁ ବିକାଶରୁ ଦୂରରେ ରଖିଛନ୍ତି। ଜୁନ୍ ୪ ତାରିଖରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ। ଆମେ ରାଜ୍ୟରେ ସବୁ ସମସ୍ୟାର ସମାଧାନ କରିବୁ”, କହିଛନ୍ତି ଅମିତ ଶାହ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାର ସଂସ୍କୃତିକୁ ଆଜି ବିଜେଡି ଅପମାନ କରୁଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ବୋଲି ସବୁ ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି। ରାଜ୍ୟ ରାଜନୀତିରେ ଏବେ ଅଣଓଡ଼ିଆଙ୍କୁ ପ୍ରଶ୍ରୟ ଦିଆଯାଉଛି। ନିର୍ବାଚନରେ ଓଡ଼ିଶାର ଲୋକେ ବିଜେଡିକୁ ଏହାର କଡ଼ା ଜବାବ ଦେବେ।”

ଚଳିତ ବର୍ଷ ରାଜ୍ୟରେ ବିଜେପି ୧୫ରୁ ଅଧିକ ଲୋକସଭା ଆସନ ଏବଂ ୭୫ରୁ ଅଧିକ ବିଧାନସଭା ଆସନ ଜିତିବ ବୋଲି ଅମିତ ଶାହ ନିଜ ସମ୍ବୋଧନରେ କହିଥିଲେ। ଏହାସହ କେନ୍ଦ୍ରରେ ଏନଡିଏ ଏଥର ୪୦୦ ସିଟ୍ ପାର୍ କରିବ ବୋଲି ସେ ଦୋହରାଇଥିଲେ।

ମଙ୍ଗଳବାର ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ହୋଇଥିବା ଏହିସବୁ ସଭାରେ ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ଯୋଗ ଦେଇଥିଲେ। ଏହାସହ ଏଠାରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।    

Tags: #OdishaAssemblyElections2024 #AmitShah #ElectionCampaign #BJP #Odisha    

LEAVE A REPLY

Please enter your comment!
Please enter your name here