ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ପିରିୟଡସ୍ ବା ୠତୁସ୍ରାବ ମହିଳାମାନଙ୍କର ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେବି ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ଵାସ ରହିଛି। ପିରିୟଡସ ଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ଏବେ ଆଲୋଚନାର ଅଭାବ ରହିଛି। ପିରିୟଡସ ବିଷୟସରେ ସଚେତନତା ସୃଷ୍ଟି କରିବା ସହ ଏହାକୁ ନେଇ ରହିଥିବା ଅନ୍ଧବିଶ୍ଵାସ ଦୂର କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସାବିତ୍ରୀ ମାହାନ୍ତ।

ସାବିତ୍ରୀ ମାହାନ୍ତ ହେଉଛନ୍ତି ସ୍ଵେଚ୍ଛାସେବୀ ସଂଗଠନ ‘ଜିତା’ର କମ୍ୟୁନିଟି କ୍ୟାଡର। ବାରକୋଟ ବ୍ଲକର ବିଭିନ୍ନ ଗାଁରେ ପିରିୟଡସକୁ ନେଇ ରହିଥିବା ଅନ୍ଧବିଶ୍ଵାସ ଦୂର କରିବା ପାଇଁ ସାରଥୀ ସାଜିଛନ୍ତି ସାବିତ୍ରୀ। ପ୍ରତି ଗାଁରେ ପହଞ୍ଚି କିଶୋରୀ ବାଳିକା ଏବଂ ମହିଳାମାନଙ୍କୁ ଏକାଠି କରି ପିରିୟଡସ୍ ସ୍ଵଚ୍ଛତା ସମ୍ପର୍କରେ ବୁଝାଇବା ସହ ଏହାକୁ ନେଇ ରହିଥିବା ଅନ୍ଧବିଶ୍ଵାସକୁ ଦୂରେଇବା ଲାଗି ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି।

“ପିରିୟଡସର ପ୍ରଥମ ଦିନରୁ ସାତ ଦିନି ଯାଏଁ ଝିଅମାନଙ୍କ ପାଇଁ ବିଭିନ୍ନ କଟକଣା ଲାଗେ। ଏହି ସମୟରେ କିଶୋରୀ ବାଳିକା ଏବଂ ମହିଳାମାନଙ୍କୁ ମନ୍ଦିର ଯିବା, କୌଣସି ପୂଜା ପର୍ବରେ ସାମିଲ ହେବା ଏବଂ ରୋଷେଇ ଘରେ ପଶିବାକୁ ବାରଣ କରାଯାଉଛି। ପିରିୟଡସକୁ ନେଇ ଲୋକଙ୍କ ମନରେ ରହିଥିବା ଭୁଲ ଧାରଣାକୁ ଦୂରେଇବା ପାଇଁ ସ୍ଵେଚ୍ଛାସେବୀ ସଂଗଠନ ‘ଜିତା’ ପକ୍ଷରୁ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି”, କହିଛନ୍ତି ସାବିତ୍ରୀ ମାହାନ୍ତ।

ସାବିତ୍ରୀ କୁହନ୍ତି ପିରିୟଡସ ସମୟରେ କିଶୋରୀମାନଙ୍କ ଉପରେ ଯେଉଁଭଳି ଭାବେ କଟକଣା ଲଗାଯାଉଛି, ତାହା ସେମାନଙ୍କ ମାନସିକ ସ୍ତରରେ ବିଶେଷ ପ୍ରଭାବ ପକାଉଛି। ଏବେ ବି ଅନେକ ଝିଅ ପିରିୟଡସକୁ ନେଇ କଥା ହେବାକୁ ସହଜ ମନେ କରୁନାହାନ୍ତି। ପୂର୍ବରୁ ଚାଲିଆସୁଥିବା ପ୍ରଥାକୁ ଏବେ ଭାଙ୍ଗିବା ଦରକାର। ଝିଅମାନଙ୍କ ପାଇଁ କଟକଣା ନୁହେଁ ସେମାନଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ସାବିତ୍ରୀ କୁହନ୍ତି।

ଗାଁ ଗାଁରେ ପିରିୟଡସକୁ ନେଇ ସଚେତନ କରାଯିବା ପରେ ଏବେ ଧୀରେ ଧୀରେ ଏହାକୁ ନେଇ ରହିଥିବା ଅନ୍ଧବିଶ୍ଵାସ ଦୂର ହେଉଛି ବୋଲି ସାବିତ୍ରୀ କୁହନ୍ତି।

ମଙ୍ଗଳବାର ଦିନ ଗୋପପୁର ଗାଁରେ ‘ଜିତା’ ପକ୍ଷରୁ ସାବିତ୍ରୀଙ୍କ ନେତୃତ୍ଵରେ ପିରିୟଡସ ବା ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଇଥିଲା। ଗୋପପୁର ସହ ବିଭିନ୍ନ ଗାଁର କିଶୋରୀ ବାଳିକା ଏଥିରେ ସାମିଲ ହୋଇଥିଲେ। ସେମାନଙ୍କୁ ପିରିୟଡସ ସ୍ଵଚ୍ଛତା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ଏହା ସହ ପିରିୟଡସକୁ ନେଇ କିଶୋରୀ ବାଳିକାମାନେ ବିଭିନ୍ନ ପ୍ରଶ୍ନ କରିଥିଲେ। ପିରିୟଡସକୁ ନେଇ ରହିଥିବା କୁସଂସ୍କାର ଏବଂ ଅନ୍ଧବିଶ୍ଵାସ ଦୂର କରିବା ପାଇଁ ଅନ୍ୟମାନଙ୍କୁ ସଚେତନ କରିବା ଲାଗି ଏହି ଅବସରରେ କିଶୋରୀ ବାଳିକାମାନେ ଶପଥ ନେଇଥିଲେ।

Tags: #LetsTalkPeriods #PeriodFriendlyWorld #BreaktheTaboo #MHDay2024

LEAVE A REPLY

Please enter your comment!
Please enter your name here