ଓଡ଼ିଶାଲାଇଭ୍ ବ୍ୟୁରୋ

  • ପିରିୟଡସ୍‌ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ ଚର୍ଚ୍ଚା
  • ‘ଋତୁସ୍ରାବ ସମ୍ପର୍କରେ ମହିଳାଙ୍କ ସହ ପୁରୁଷ ଓ ତୃତୀୟଲିଙ୍ଗୀ ସଚେତନ ହେବା ଜରୁରୀ’
  • ‘ଏକାଠି ହୋଇ ଗଢ଼ିବା ଋତୁସ୍ରାବ ଅନୁକୂଳ ପୃଥିବୀ’

ପିରିୟଡସ୍ ବା ୠତୁସ୍ରାବ ସମୟରେ କିଭଳି ସ୍ଵଚ୍ଛତା ପ୍ରତି ଧ୍ୟାନ ଦେବେ ଏବଂ ଏହାକୁ ନେଇ ଥିବା ଅନ୍ଧବିଶ୍ୱାସ ଦୂର କରିବା ଦିଗରେ ସଚେତନ ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ମେ’ ୨୮ ତାରିଖକୁ ବିଶ୍ୱ ୠତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବେ ପାଳନ କରାଯାଏ। ବୁଧବାର ଓଡ଼ିଶା ଏମ୍‌ଏଚ୍‌ଏଚ୍ ଆଲାଏନ୍ସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱ ୠତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳନ କରାଯାଇଛି। ସ୍ଵେଚ୍ଛାସେବୀ, ଡାକ୍ତର ଏବଂ ପବ୍ଲିକ୍ ହେଲ୍‌ଥ ସ୍ପେଶାଲିଷ୍ଟମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ୠତୁସ୍ରାବ ପରିଚ୍ଛନ୍ନତା ଓ ଏହା ସହ ଜଡ଼ିତ ଅନେକ ଦିଗ ଉପରେ ଆଲୋଚନା କରିଥିଲେ।

ପିରିୟଡସ୍ ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ଏହା ନାରୀ ଜୀବନର ପରିଚୟ। ପ୍ରତିମାସରେ କିଶୋରୀ ଓ ମହିଳାମାନେ ଋତୁସ୍ରାବ ଦେଇ ଗତି କରନ୍ତି। କିନ୍ତୁ ଆଜି ବି ଅନେକଙ୍କ ମଧ୍ୟରେ ଏହାକୁ ନେଇ ଲାଜ, ସଙ୍କୋଚ ଏବଂ ଆମ ସମାଜରେ ଅନ୍ଧବିଶ୍ୱାସ ରହିଛି। ଏଣେ ଜଳବାୟୁ ପରିବର୍ତ୍ତନ ତଥା ପରିବେଶଜନିତ କାରଣରୁ ଖୁବ କମ ବୟସରେ ଝିଅମାନଙ୍କଠାରେ ପ୍ରଥମ ଋତୁସ୍ରାବ ବା ମେନାର୍କି ଦେଖାଦେଉଛି। ୠତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳନ ଅବସରରେ ଏଭଳି ବିଭିନ୍ନ ବିଷୟକୁ ନେଇ ଓଡ଼ିଶା ଏମ୍‌ଏଚ୍‌ଏଚ୍ ଆଲାଏନ୍ସ ପକ୍ଷରୁ ଆଲୋଚନା କରାଯାଇଥିଲା।

ତିନୋଟି ଆଲୋଚନା ଚକ୍ରରେ ବିଭିନ୍ନ ପ୍ୟାନେଲିଷ୍ଟ ଋତୁସ୍ରାବ ସହିତ ଜଡ଼ିତ ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଥିଲେ। ଏହି ଅବସରରେ ସମ୍ପାଦିକା ସ୍ନେହ ମିଶ୍ର କହିଛନ୍ତି, ‘‘ମାସିକ ଋତୁସ୍ରାବକୁ ନେଇ କାହିଁ କେଉଁ କାଳରୁ ବିଭିନ୍ନ ପାରମ୍ପରିକ ଓ ଧାର୍ମିକ ବିଶ୍ୱାସ ରହିଆସିଛି। ବର୍ତ୍ତମାନ ସମୟରେ ବି ବହୁ ଅଞ୍ଚଳରେ ଋତୁସ୍ରାବକୁ ଅଶୁଦ୍ଧି ବୋଲି ବିଚାର କରାଯାଉଛି। ଫଳରେ ଏହା ମହିଳାଙ୍କ ପାଇଁ ସଙ୍କୋଚ ବା ସମସ୍ୟା ହୋଇରହିଛି। କିନ୍ତୁ ବୁଝିବାକୁ ପଡ଼ିବ ପିରିୟଡସ୍ ଏକ ସମସ୍ୟା ନୁହେଁ, ଏହା ନାରୀ ଜୀବନର ଏକ ପରିଚୟ। ଲାଜ ନୁହେଁ, ଏହାକୁ ନେଇ ଖୋଲାଖୋଲି କଥା ହେବା ଦରକାର। ତାହେଲେ ଯାଇ ସମସ୍ୟା ସାମ୍ନାକୁ ଆସିବ ଏବଂ ସମାଧାନର ବାଟ ଫିଟିପାରିବ।’’

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ୟୁନିସେଫ୍ ଓଡ଼ିଶାର ୱାସ-ସିସିଇଏସ୍ ସ୍ପେଶାଲିଷ୍ଟା ସିପ୍ରା ସକ୍ସେନା କହିଛନ୍ତି, ‘‘ଋତୁସ୍ରାବ ପରିଚାଳନା ଦିଗରେ ଲୋକମାନଙ୍କୁ ଆହୁରି ସଚେତନ କରାଇବା ଦରକାର। ଏନେଇ ପଲିସି ସ୍ତରରେ ବିଭିନ୍ନ କାର୍ଯ୍ୟ କରାଯାଉଛି। ପ୍ରତ୍ୟେକ କିଶୋରୀ ତଥା ମହିଳା କିଭଳି ସହଜରେ ସାନିଟାରୀ ପ୍ୟାଡ୍ ପାଇପାରିବେ ଏବଂ ପିରିୟଡସ୍ ପରିଚାଳନା ପାଇଁ ଆଉ କ’ଣ ସବୁ ବିକଳ୍ପ ରହିଛି, ଯେପରିକି ଟାମ୍ପନ୍, ପିରିୟଡ୍‌ସ କପ୍ ଇତ୍ୟାଦି ବିଷୟରେ ଲୋକମାନଙ୍କୁ ସଚେତନ କରାଯାଉଛି। ସର୍ବୋପରି ସରକାରୀ, ବେସରକାରୀ ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ମିଳିତ ଭାବେ ଋତୁସ୍ରାବ ପରିଚ୍ଛନ୍ନତା ଦିଗରେ ଆହୁରି କାମ କରିବାର ଆବଶ୍ୟକତା ରହିଛି।’’

‘‘ବର୍ଷ ବର୍ଷ ଧରି ଲଗାତାର ଋତୁସ୍ରାବ ପରିଚ୍ଛନ୍ନତା ଦଗରେ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶା ଏମ୍‌ଏଚ୍‌ଏଚ୍ ଆଲାଏନ୍ସ ପକ୍ଷରୁ କରାଯାଉଥିବା ବିଭିନ୍ନ ଉଦ୍ୟମ ପ୍ରଶଂସାଯୋଗ୍ୟ। ଋତୁସ୍ରାବ ଉପରେ ଆହୁରି ଖୋଲାଖୋଲି ଭାବେ କଥା ହେବା ଦରକାର। ସଂଗୀତ, ସ୍ଲୋଗାନ ମାଧ୍ୟମରେ ଋତୁସ୍ରାବକୁ ନେଇ ସମାଜରେ ଥିବା ଅନ୍ଧବିଶ୍ଵାସକୁ ଦୂର କରିପାରିବା। ବିଭିନ୍ନ କର୍ମଶାଳ ଆୟୋଜନ କରି ପରିଚ୍ଛନ୍ନତା ଦିଗରେ ମହିଳାଙ୍କୁ ସଚେତନ କରାଇବା ଦରକାର’’, କାର୍ଯ୍ୟକ୍ରମରେ ଉପସ୍ଥିତ ରହି କହିଛନ୍ତି ସିୱାଇଏସ୍‌ଡିର ଫାଉଣ୍ଡର ଜଗଦାନନ୍ଦ।

କାର୍ଯ୍ୟକ୍ରମରେ ଅନେକ କିଶୋର କିଶୋରୀମାନେ ସାମିଲ ହୋଇ ଋତୁସ୍ରାବ ଉପରେ ସଚେତନତାଧର୍ମୀ ନାଟକ ପରିବେଷଣ କରିଥିଲେ। ଏହାସହ ଋତୁସ୍ରାବ ବିଷୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ସମାଜର ବିଭିନ୍ନ ବର୍ଗ ଏବଂ ବୟସର ଲୋକମାନେ ଋତୁସ୍ରାବକୁ ଏକ ସାଧାରଣ ବିଷୟ ଭାବେ ବିଚାର କରି ପରସ୍ପର ସହ ଆଲୋଚନା କରିବା ଆବଶ୍ୟକ। ଏ ଦିଗରେ ଅନ୍ୟମାନଙ୍କୁ ସଚେତନ କରିପାରିଲେ ହିଁ ଏକ ଋତୁସ୍ରାବ ଅନୁକୂଳ ପୃଥିବୀର ଗଠନ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା।

Tags: #Let’sTalkPeriods #OMHH #PeriodFriendlyWorld #BreaktheTaboo #MHDay2024

LEAVE A REPLY

Please enter your comment!
Please enter your name here