ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜୁନ୍ ୧ ତାରିଖ ଶନିବାର ଦିନ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅଧିନସ୍ଥ ୪୨ଟି ବିଧାନସଭା କ୍ଷେତ୍ରରେ ମତାଧିକାର ସାବ୍ୟସ୍ତ କରିବେ ଭୋଟର। ଏଥିରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ସାମିଲ ଅଛି। ଏଠାରେ ମୋଟ ୯୯ ଲକ୍ଷ ୬୧ ହଜାର ୫୭ ଜଣ ମତଦାତା ଭୋଟ୍ ଦେବ। ଏନେଇ ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ପାଇଁ ଓଡ଼ିଶାରେ ୧୦,୮୮୨ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୨୦ ପ୍ରତିଶତ ଆଦର୍ଶ ମତଦାନ କେନ୍ଦ୍ର ରହିବ। ଏହାସହ ୧,୪୦୦ଟି ବୁଥକୁ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀମାନେ ପରିଚାଳନା କରିବେ। ଏହି ପର୍ଯ୍ୟାୟରେ ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ତେବେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ପାଇଁ ମୋଟ ୬୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଏବଂ ୧୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ସେହିପରି ୪୨ଟି ବିଧାନସଭା ଆସନ ପାଇଁ ମୋଟ ୩୯୪ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୩୬ ଜଣ ପୁରୁଷ ଏବଂ ୫୮ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ମୋଟ ମତଦାତାଙ୍କ ମଧ୍ୟରୁ ୫୦ ଲକ୍ଷ ୮୮ ହଜାର ୭୬ ଜଣ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ଜଣ ମହିଳା ଓ ୬୮୭ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।

ତେବେ ଏହି ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲାଗୁଡ଼ିକରେ ୧୨୫ କମ୍ପାନି ସିଏପିଏଫ୍ ଫୋର୍ସ ନିୟୋଜିତ ହେବେ। ସେଥିରୁ ଯାଜପୁରରେ ୨୦, ବାଲେଶ୍ଵରରେ ୨୨, ଭଦ୍ରକରେ ୧୬, କେନ୍ଦ୍ରାପଡ଼ାରେ ୧୮, ଜଗତସିଂହପୁରରେ ୧୨, ମୟୂରଭଞ୍ଜ ୧୮, କଟକରେ ୧୨, ପୁରୀରେ ୭ କମ୍ପାନି କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ।

ଅନ୍ୟପଟେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶା ସମେତ ଭାରତର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନ ପାଇଁ ଶନିବାର ଭୋଟ୍ ଗ୍ରହଣ ହେବ। ଏଥିରେ ଉତ୍ତରପ୍ରଦେଶର ୧୩ଟି, ପଞ୍ଜାବର ୧୩ଟି, ବିହାରର ୮ଟି, ପଶ୍ଚିମବଙ୍ଗର ୯ଟି, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ଟି, ହିମାଚଳ ପ୍ରଦେଶର ୪ଟି ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନ ସାମିଲ ରହିଛି।

Tags: #IndianGeneralElections2024 #Voting #Voter #Odisha #ECI #India

LEAVE A REPLY

Please enter your comment!
Please enter your name here