ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଥର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଆସନରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ହ୍ୟାଟ୍ରିକ ଆଶାରେ ନିର୍ବାଚନ ମଇଦାନରେ ଅଛନ୍ତି ବିଜେଡିର ବ୍ୟୋମକେଶ ରାୟ। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ଏହା ଏକ ପ୍ରମୁଖ ଲଢ଼େଇ ରହିବ। କଂଗ୍ରେସ ମଧ୍ୟ ନିଜର ଟାଣୁଆ ନେତା ଅମୀୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି।

ଚାନ୍ଦବାଲିରେ ଏଥର ସମ୍ମାନର ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ। ଏଠାରେ ବିଜୟ ବ୍ୟବଧାନ ବହୁତ ଅଧିକ ନହୋଇ ଶେଷ ପର୍ଯ୍ୟାୟ ଭୋଟ ଗଣତି ଉପରେ ଫଳାଫଳ ନିର୍ଭର କରିବ ବୋଲି ଆଶା କରାଯାଉଛି।  

ଚତୁର୍ଥ ବିଜୟ ଆଶାରେ ବିଜେଡି

ଗତ ୩ଟି ପାଳିରେ ବିଜେଡି କ୍ଷମତାରେ ରହିଆସିଛି ଚାନ୍ଦବାଲି। ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଏ ଆସନରୁ ବିଜେଡି ପ୍ରାର୍ଥୀ ବିଜୟ ନାୟକ ଜିତିଥିଲେ। କିନ୍ତୁ ଏହାପାର ପାଳିରେ ବିଜୟଙ୍କୁ ଆଉ ଟିକଟ ଦେଇ ନ ଥିଲା ବିଜେଡି। ୨୦୧୪ରେ ଦଳର ପ୍ରାର୍ଥୀ ହୋଇଥିଲେ ବ୍ୟୋମକେଶ। ସେ ଏଠାରୁ ଲଗାତର ଦୁଇ ଥର ଜିତିଲେଣି।

ପୂର୍ବ ନିର୍ବାଚନଗୁଡ଼ିକରେ ବ୍ୟୋମକେଶଙ୍କ ବିଜୟ ବ୍ୟବଧାନ ବହୁତ ଅଧିକ ନଥିଲେ ମଧ୍ୟ ସେ ଗଡ଼ ବଞ୍ଚାଇବାରେ ସଫଳ ହୋଇଥିଲେ। ଏଥର ବିକାଶମୂଳକ କାର୍ଯ୍ୟର ଚିଠା ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ବ୍ୟୋମକେଶ। ଗମନାଗମନ, ବିଜୁଳି ଓ ସ୍ଵାସ୍ଥ୍ୟସେବାରେ ବିକାଶକୁ ନେଇ ବିଜେଡି ସପକ୍ଷରେ ଭୋଟର ମତ ଦେବେ ବୋଲି ସେ ଆଶା ରଖିଛନ୍ତି।

ମାନ ରଖିବେ ତ ମନମୋହନ

ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ହେବ ବୋଲି ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଏହାକୁ ପ୍ରଥମେ ଖଣ୍ଡନ କରିଥିଲେ ମନମୋହନ ସାମଲ। ବାରମ୍ବାର ସେ ଏ ଚର୍ଚ୍ଚାରେ ବିରାମ ଦେବାକୁ ଚେଷ୍ଟା କରିଥିଲେ। ଶେଷରେ ମେଣ୍ଟ ହୋଇ ନଥିଲା। କିନ୍ତୁ ଏବେ ଚାନ୍ଦବାଲି ଆସନରେ ଜିତିବା ମନମୋହନଙ୍କ ପାଇଁ ସମ୍ମାନର ପ୍ରଶ୍ନ। ଖାଲି ସେତିକି ନୁହେଁ ବିଜେପିର ସର୍ବାଧିକ ଫୋକସରେ ଥିବା ଏ ଆସନ ହାତେଇବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ମନମୋହନ।

୨୦୧୯ ନିର୍ବାଚନରେ ବ୍ୟୋମକେଶଙ୍କଠାରୁ ପ୍ରାୟ ୮ ହଜାର ଭୋଟରେ ହାରିଥିଲେ ମନମୋହନ। ହେଲେ ଏଥର ସେ ଆଗୁଆ ପ୍ରସ୍ତୁତି କରିଛନ୍ତି। ଏହା ସହିତ ମୋଦୀଙ୍କ ବିକାଶ ଏବଂ ଓଡ଼ିଶା ପ୍ରତି ବିଜେପିର ସ୍ଵତନ୍ତ୍ର ଫୋକସ ରହିଥିବାରୁ ଭୋଟର ତାଙ୍କ ଆଡ଼କୁ ଢାଳିବେ ବୋଲି ସେ ଆଶା କରିଛନ୍ତି। ଏଥର ଦଳର ସ୍ଥିତି ମଜଭୁତ ହୋଇଥିବାରୁ ମନମୋହନ ବାଜି ମାରିବେ ବୋଲି ସମର୍ଥକଙ୍କ ଆଶା ରହିଛି।

ଚକମା ଦେବା ଆଶାରେ କଂଗ୍ରେସ

ରାଜ୍ୟରେ କଂଗ୍ରେସର ସ୍ଥିତି ଏତେ ସୁଦୃଢ଼ ନଥିଲେ ମଧ୍ୟ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଦଳର ପାରମ୍ପରିକ ଭୋଟ୍ ରହିଛି। କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ୨୦୦୯ ଓ ୨୦୧୪ରେ କଡ଼ା ଟକ୍କର ଦେଇଥିଲେ ବିଜେଡିକୁ। ୨୦୧୪ ସେ ଏଠାରେ ଦ୍ଵିତୀୟ ସ୍ଥାନରେ ରହିଥିଲା। ୨୦୧୯ରେ ଅମୀୟ ପ୍ରାର୍ଥୀ ହୋଇ ନଥିଲେ କିନ୍ତୁ ଏଥର ତାଙ୍କୁ ଟିକଟ ଦେଇଛି ଦଳ। ସେ ନିଜର ସମର୍ଥକ ଏବଂ କଂଗ୍ରେସର ପାରମ୍ପରିକ ଭୋଟ୍ ବ୍ୟାଙ୍କ ଉପରେ ଆଶା ରଖିଛନ୍ତି।

ନିର୍ବାଚନରେ କମ୍ ରହିବ ଭୋଟ ବ୍ୟବଧାନ

ଏଥର ଚାନ୍ଦବାଲିରେ କଡ଼ା ଟକ୍କର ହେବାର ସମ୍ଭାବନା ଥିବାରୁ ଯିଏ ବି ଜିତିଲେ ଭୋଟ ବ୍ୟବଧାନ ବେଶି ରହିବ ନାହିଁ ବୋଲି କୁହାଯାଉଛି। ବ୍ୟୋମକେଶ ଏଠାରୁ ଦୁଇଥର ପ୍ରାର୍ଥୀ ହୋଇଥିବାରୁ ତାଙ୍କର ନିର୍ବାଚନ ପରିଚାଳନା କରିବାର ଭଲ ଅଭିଜ୍ଞତା ରହିଛି। କିନ୍ତୁ ବିଜେପିର ରାଜ୍ୟ ସଭାପତି ଏଠାରୁ ପ୍ରାର୍ଥୀ ହୋଇଥିବାରୁ ଭୋଟର ଏଥିରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। କଂଗ୍ରେସ ପ୍ରାର୍ଥୀ ମଧ୍ୟ ନିଜର ଭୋଟ୍ ସୁରକ୍ଷିତ ରଖିବାର ସମ୍ଭାବନା ଥିବାରୁ ବ୍ୟବଧାନ ସେତେ ଅଧିକ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।

୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ନାୟକଙ୍କୁ ମିଳିଥିଲା ୫୮,୪୬୭ ଖଣ୍ଡ ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ରଙ୍କୁ ୫୦,୮୫୪ ଓ ବିଜେପିର ପୂର୍ଣ୍ଣ ଚନ୍ଦ୍ର ପାଣିଙ୍କୁ ମିଳିଥିଲା ୧୪,୭୮୪ଟି ଭୋଟ।

ସେହିପରି ୨୦୧୪ରେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ୬୮,୫୫୭ ଭୋଟ, କଂଗ୍ରେସ ପ୍ରାର୍ଥୀ ଅମୀୟ ୪୩,୬୭୪ ଭୋଟ୍ ପାଇଥିଲେ। ଧାମନଗର ସଂରକ୍ଷିତ ଆସନ ହେବାରୁ ମନମୋହନ ଏଠାରୁ ପ୍ରାର୍ଥୀ ହୋଇଥିଲେ। ହେଲେ ୩୮,୯୫୨ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ତେବେ ୨୦୧୯ରେ ବ୍ୟୋମକେଶଙ୍କୁ ଭଲ ଟକ୍କର ଦେଇଥିଲେ ମନମୋହନ। ଏହି ନିର୍ବାଚନରେ ବ୍ୟୋମକେଶ ୭୭,୩୧୩ ଭୋଟ ପାଇଥିବାବେଳେ ମନମୋହନ ୬୮,୯୭୬ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ଦିଗାମ୍ବର ଦାସ ୩୦,୦୭୭ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ଏବେ ୨୦୨୪ରେ ଚାନ୍ଦବାଲିରେ ସ୍ଥିତି ବଦଳିଛି। ଏଠାରେ ଅନେକ ନୂଆ ଭୋଟର ଯୋଡ଼ି ହୋଇଛନ୍ତି। ପୂର୍ବ ନିର୍ବାଚନ ତୁଳନାରେ ୩ ପ୍ରମୁଖ ଦଳଗୁଡ଼ିକର ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହୋଇଛି। ସବୁ ଦଳ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି। ତେବେ କଂଗ୍ରେସର ପାରମ୍ପରିକ ଭୋଟ୍ ରହିଥିବାରୁ ଏଥରର ଲଢ଼େଇ ଏକପାଖିଆ ନ ହୋଇ ତ୍ରିମୁଖୀ ହେବାର ମଧ୍ୟ ସମ୍ଭାବନା ରହିଛି।  

Tags: #OdishaAssemblyElections #ChandabaliAssemblyseat #ByomkeshRay #ManmohanSamal #AmiyaMohapatra #BJD #BJP #Congress #Politics #Odisha

LEAVE A REPLY

Please enter your comment!
Please enter your name here