ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଅପରାହ୍ଣ ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ୍ ଦେବାପାଇଁ ଭୋଟରଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହି ପର୍ଯ୍ୟାୟରେ ରାଜ୍ୟର କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅପରାହ୍ଣ ୫ଟା ସୁଦ୍ଧା ଜଗତସିଂହପୁର ଲୋକସଭା ଆସନରେ ସର୍ବାଧିକ ୬୫.୯୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ୫୮.୨୧ ପ୍ରତିଶତ ଭୋଟଗ୍ରହଣ ହୋଇଛି।

ସେହପରି ବାଲେଶ୍ଵର ଲୋକସଭା ଆସନରେ ୬୧.୯୧ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୬୨.୦୨ ପ୍ରତିଶତ ଏବଂ ମୟୂରଭଞ୍ଜରେ ୬୪.୧୭ ପ୍ରତିଶତ ମତଦାନ ହୋଇଛି।

ଅନ୍ୟପଟେ ଅପରାହ୍ଣ ୫ଟା ସୁଦ୍ଧା ବିଧାନସଭା ଆସନ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ଯଶିପୁରରେ ସର୍ବାଧିକ ୭୦.୧୧ ପ୍ରତିଶତ ମତଦାନ ହୋଇଥିବାବେଳେ ଧାମନଗର ଆସନରେ ସର୍ବନିମ୍ନ ୫୩.୨୦ ପ୍ରତିଶତ ଭୋଟଗ୍ରହଣ ହୋଇଛି।

ତେବେ ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଥିବାବେଳେ ରାଜ୍ୟର କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ସାଲେପୁର ବିଧାନସଭା ଆସନ ଅନ୍ତର୍ଗତ ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ବିଜେପି ଏଜେଣ୍ଟ ଓ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ସେହିପରି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ୩୫ ନମ୍ବରରେ ବିଜେପ ଏଜେଣ୍ଟଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏସବୁ ଘଟଣାକୁ କେନ୍ଦ୍ର କରି କିଛି ବିଜେଡି କର୍ମୀଙ୍କ ବିରୋଧରେ ବିଜେପିର ସ୍ଥାନୀୟ ନେତାଙ୍କ ପକ୍ଷରୁ ପୋଲିସରେ ଏତଲା ଦିଆଯାଇଛି।

ଅନ୍ୟପଟେ ଏହି ନିର୍ବାଚନରେ କିଛି ବୁଥରେ ଇଭିଏମରେ ତ୍ରୁଟି ଦେଖା ଯିବା ଯୋଗୁଁ ମତଦାନରେ ବିଳମ୍ବ ହୋଇଥିବା ସୂଚନା ମିଳିଛି। ଏହା ସତ୍ତ୍ଵେ ଅନେକ ସ୍ଥାନରେ ଭୋଟ୍ ଦେବାପାଇଁ ବୁଥରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି।   

ଶନିବାର ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସରିବା ପରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ମୋଟ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେବ। ଜୁନ୍ ୪ ତାରିଖରେ ପ୍ରକାଶ ପାଇବ ନିର୍ବାଚନୀ ଫଳାଫଳ।  

 Tags: #OdishaAssemblyElections2024 #Voting #Voters #Odisha #ECI #India

LEAVE A REPLY

Please enter your comment!
Please enter your name here