କପିଳାସ ଭୂୟାଁ

ଶୂନ୍ୟ ସ୍ଵରୂପ ଚଳଚ୍ଚିତ୍ରରେ ଚୌଧୁରୀ ବିକାଶ ଦାସ

ବିଶ୍ଵ ହେଉ କିମ୍ବା ଆମ ଦେଶ, ଏପରିକି ଆମ ରାଜ୍ୟ ଭିତରେ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କିଛି ନୂଆ କଥା ନୁହେଁ। ଆସନ୍ତା ଜୁନ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଯାଉଥିବା ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ବା ‘ବିଏଫଏଫ’ କିନ୍ତୁ ଟିକେ ନିଆରା, ଏଥିରେ ରହିଛି କିଛି ନୂଆ କଥା ଓ ନୂଆ ଦିଗ। ନିଆରା ଏଇଥି ପାଇଁ ଯେ ଏଥିରେ କେବଳ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।

ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ୨୮ ଏପ୍ରିଲ ୧୯୩୬ରେ ପ୍ରଦର୍ଶିତ ହେବା ପରେ ବିଗତ ପ୍ରାୟ ୯୦ ବର୍ଷ ମଧ୍ୟରେ ଅସଂଖ୍ୟ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ସେଥିରୁ ବେଶ କିଛି ଚଳଚ୍ଚିତ୍ର ବ୍ୟବସାୟିକ ମୁକ୍ତିଲାଭ କରି ସଫଳତା ହାସଲ କରିଥିବା ବେଳେ ଅନ୍ୟ କେତେକ ମୁକ୍ତିଲାଭ ମଧ୍ୟ କରି ନପାରି କାଳ ଗର୍ଭରେ ହଜି ଯାଇଛି। ଅନ୍ୟ କେତେକ କଳାତ୍ମକ ଚଳଚ୍ଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ଓ ପୁରସ୍କାର ପାଇଥିଲେ ବି ଓଡ଼ିଆ ଦର୍ଶକ ସେସବୁ ଚଳଚ୍ଚିତ୍ର ଦେଖିବାକୁ ନାନାବିଧ କାରଣରୁ ସୁବିଧା ପାଇ ପାରିନାହାନ୍ତି। ଆଜି ସ୍ଥିତି ଏପରି ଏକ ସଙ୍କଟଜନକ ଅବସ୍ଥାରେ ପହଞ୍ଚିଛି ଯେ ବହୁ ସଂଖ୍ୟାରେ ନିର୍ମିତ ହେଉଥିଲେ ବି ପ୍ରଦର୍ଶନ ସୁବିଧା ଅଭାବରୁ ଓଡ଼ିଆ ଚଳଚ୍ଚିତ୍ର ଅଧିକନ୍ତୁ କ୍ଷତି ସହିବାକୁ ବାଧ୍ୟ ହେଉଛି।

ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଓଡ଼ିଆ ଦର୍ଶକଙ୍କ ଦୃଷ୍ଟି ପୁନଃଆକର୍ଷିତ କରିବା ପାଇଁ ଏହି ସ୍ଵତନ୍ତ୍ର ଓଡ଼ିଆ ଚଳଚ୍ଚିତ୍ର ଉତ୍ସବ ଆୟୋଜନ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଶ୍ଚୟ। ଉଲ୍ଲେଖନୀୟ କି ସ୍ଥାନୀୟ ତଥା ଦେଶର ଅନ୍ୟତ୍ର ଅବସ୍ଥିତ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଲେଖକ ଓ ବୈଷୟିକ କ୍ଷେତ୍ରରେ କାମ କରୁଥିବା ନାମିଦାମୀ ବ୍ୟକ୍ତିତ୍ଵମାନେ ଏକାଠି ମିଶି ଏହି ଉତ୍ସବର ଆୟୋଜନ କରୁଛନ୍ତି। ତିନିଦିନିଆ ଏହି ଉତ୍ସବ କାଳରେ ପ୍ରତ୍ୟେକ ଦିନ ସକଳ ୧୧ଟାରୁ ରାତି ୯ଟା ମଧ୍ୟରେ ସମୁଦାୟ ୧୫ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।

ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ‘ମାୟା ମିରିଗ’ ପରି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ରହିଥିଲା ବେଳେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ‘ଜୀଅନ୍ତା ଭୂତ’, ‘ହେଲୋ ଆରସି’ ଏବଂ ‘ମଲା ଜହ୍ନ’ ପରି କାଳଜୟୀ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକୁ ସାମିଲ କରାଯାଇଛି।

ଏହା ବ୍ୟତୀତ ଏହି ଉତ୍ସବ ପାଳନ ଅବସରରେ ‘ଓଡ଼ିଆ ସିନେମା @୯୦: ରିଦିମସ, ରେଣ୍ଡିସନ୍ସ ଏଣ୍ଡ ରିଫ୍ଲେକ୍ସନ୍ସ’ ଶୀର୍ଷକରେ ଓଡ଼ିଆ ଚଳଚ୍ଚିତ୍ରକୁ ଆଧାର କରି ପ୍ରକାଶ ପାଇବାକୁ ଥିବା ଏକ ପୁସ୍ତକ ଲୋକର୍ପଣ କରାଯିବ। 

ଏହି ଉତ୍ସବର ଅନ୍ୟତମ ଆକର୍ଷଣ ରୂପେ ଚଳଚ୍ଚିତ୍ର ଅଭିନୟ ଓ ଚିତ୍ରନାଟ୍ୟ ରଚନା ଭଳି ଦୁଇଟି ବିଷୟକୁ ଆଧାର କରି ଦୁଇଟି ମାଷ୍ଟର କ୍ଳାସ ଆୟୋଜିତ ହେବ। ଏହି ମାଷ୍ଟର କ୍ଲାସ ଦୁଇଟିରେ ଯଥାକ୍ରମେ ବଲିଉଡ ଖ୍ୟାତି ସମ୍ପନ୍ନ ଚିଳଚ୍ଚିତ୍ର ନିର୍ମାତା ଓ କାଷ୍ଟିଙ୍ଗ ନିର୍ଦ୍ଦେଶକ ମୁକେଶ ଛାବରା ଏବଂ ‘ଓଃ ମାଇଁ ଗଡ ୨’ ପରି  ସୁପର ହିଟ ଚଳଚ୍ଚିତ୍ରର ପ୍ରସିଦ୍ଧ ନିର୍ଦ୍ଦେଶକ ଅମିତ ରାୟଙ୍କ ସହ ଚଳଚ୍ଚିତ୍ର ଅଭିନୟ ଓ ନିର୍ମାଣରେ ଆଗ୍ରହ ରଖିଥିବା ସ୍ଥାନୀୟ ଯୁବ ପ୍ରତିଭାମାନେ ଅଂଶ ଗ୍ରହଣ କରି ପାରିବେ।

ସେହିପରି ଏହି ଉତ୍ସବରେ ବଲିଉଡର ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ କେତନ ମେହେଟ୍ଟା, ପ୍ରଯୋଜିକା ତଥା ଅଭିନେତ୍ରୀ ଦୀପା ସାହି, ବିଶିଷ୍ଟ ନିର୍ଦ୍ଦେଶକ ଓ ସିନେମାଟୋଗ୍ରାଫର ଅପୂର୍ବ କିଶୋର ବୀର, ଜାତୀୟ ନାଟକ ବିଦ୍ୟାଳୟର ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ତ୍ରପାଠୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର କିମ୍ବଦନ୍ତୀ ପୁରୁଷ ପ୍ରଶାନ୍ତ ନନ୍ଦ ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖନୀୟ ବିଷୟ ହେଲା ଯେ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ଏଭଳି ଏକ ଭିନ୍ନ ଉଦ୍ୟମ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ସହ ସମ୍ପୃକ୍ତ ସମସ୍ତ ସ୍ତରର ବ୍ୟକ୍ତିତ୍ଵମାନଙ୍କୁ ଆଣି ଏକାଠି ଠିଆ କରେଇବା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏଭଳି ଉଦ୍ୟମ ମୁଖ୍ୟତଃ ସରକାରଙ୍କ ପକ୍ଷରୁ ଆହୁତ ହେବା କଥା। କିନ୍ତୁ ବିଗତ କେତେ ବର୍ଷ ଭିତରେ ଯାହା ଦେଖାଯାଉଛି ସେଥିରୁ ଲାଗୁଛି କି ସରକାର ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫଡିସି) ଏ ଦିଗରେ ବିଶେଷ କିଛି କରୁ ନାହାନ୍ତି। ଅବଶ୍ୟ ଗଣମାଧ୍ୟମ ଜରିଆରେ ଯାହାସବୁ କରାଯାଉଛି ବୋଲି ଡିଣ୍ଡିମ ପିଟା ଯାଉଛି, ବାସ୍ତବ କ୍ଷେତ୍ରରେ ସେଭଳି କିଛି ଘଟୁ ନାହିଁ। ସେ ଯାହା ବି ହେଉ କେବଳ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକୁ ନେଇ ଏକ ଉତ୍ସବ ଆୟୋଜନ ପାଇଁ ପ୍ରୟାସ କରିଥିବାରୁ ଆୟୋଜକ ‘ଭୁବନେଶ୍ୱର ଫିଲ୍ମ ସର୍କଲ’ର ଏହି ସାଧୁ ଉଦ୍ୟମ ନିଶ୍ଚୟ ପ୍ରଶଂସାଜନକ।

ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ଏହି ଉତ୍ସବ ମାଧ୍ୟମରେ ଓଡ଼ିଆ ଲୋକଙ୍କୁ, ବିଶେଷ କରି ଯୁବ ପିଢ଼ିକୁ ଓଡ଼ିଆ ଚଳଚ୍ଚିତ୍ର ଇତିହାସ ଓ ବିକାଶ ଯାତ୍ରା ସହ ଯୋଡ଼ିବା ସମ୍ଭବ ହେବ। ତେଣୁ ସିନେମା ଓ ଗଣମାଧ୍ୟମ ବିଷୟରେ ପାଠ ପଢୁଥିବା ବା ଏହି କ୍ଷେତ୍ରରେ କାମ କରୁଥିବା ଯୁବ ବର୍ଗ ଏହି ଉତ୍ସବ ସହ ଯୋଡ଼ି ହେଲେ ସେମାନଙ୍କ ପାଇଁ ଲାଭଜନକ ହେବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ। ମତାମତ ସମ୍ପୂର୍ଣ୍ଣ ନିଜସ୍ଵ)

Tags: #Cinema #OdiaCinema #Ollywood #CineIndustry #FilmFestival #Odisha

LEAVE A REPLY

Please enter your comment!
Please enter your name here