ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରରେ ନୂଆ ସରକାର ଗଢ଼ିବା ପୂର୍ବରୁ ଦିଲ୍ଲୀରେ ଏନଡିଏର ଶୀର୍ଷ ନେତାଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ଏନଡିଏର ସବୁ ଦଳ ଏଠାରେ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ସେ ଏନଡିଏର ନେତା ନିର୍ବାଚିତ ହୋଇଛନ୍ତି।   

ଏହି ବୈଠକରେ ଏନଡିଏର ସବୁ ଦଳ ବିଜେପିକୁ ସମର୍ଥନ ଦେବା ନେଇ ପ୍ରସ୍ତାବ ପାରିତ ହୋଇଛି। ଏହାପରେ ନରେନ୍ଦ୍ର ମୋଦୀ ତୃତୀୟଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବା ସୁନିଶ୍ଚିତ ହୋଇଯାଇଛି। ଆଗକୁ ମେଣ୍ଟ ପକ୍ଷରୁ ସରକାର ଗଢ଼ିବା ନେଇ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରାଯିବ।

ତେବେ ଏଠାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ବିଜେପିକୁ ସମର୍ଥନ କରିବାପରେ ଇଣ୍ଡି ମେଣ୍ଟର ସରକାର ଗଢ଼ିବା ନେଇ ହେଉଥିବା ସବୁ ରାଜନୈତିକ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ତେବେ ନରେନ୍ଦ୍ର ମୋଦୀ ଜୁନ୍ ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି।  

ଏହି ବୈଠକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ବରିଷ୍ଠ ବିଜେପି ନେତା ଅମିତ ଶାହ, ରାଜନାଥ ସିଂହ, ଜେଡିଏସ୍ ନେତା ଏଚ ଡି କୁମାରସ୍ଵାମୀ, ଏଲଜେପି ନେତା ଚିରାଗ ପାଶୱାନ୍, ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ଏବଂ ଏନସିପି ନେତା ପ୍ରଫୁଲ ପଟେଲ ପ୍ରମୁଖ ଯୋଗ ଦେଇଥିଲେ।     

Tags: #NDAMeeting #NarendraModi #PrimeMinister #India

Comment