ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଅଭୂତପୂର୍ବ ଫଳାଫଳ ଦେଖିବାକୁ ମିଳିଛି। ୨୧ଟି ଆସନ ଭିତର ୨୦ଟି ପୋଛି ନେଇଛି ବିଜେପି। ତେବେ ୨୦୧୯ ଭଳି କୋରାପୁଟ ଆସନରେ କଂଗ୍ରେସ ନିଜର ଗଡ଼ ଜଗିବାରେ ସଫଳ ହୋଇଛି। ସେଠାରେ ସପ୍ତଗିରି ଉଲାକା ପୁଣିଥରେ ବିଜୟୀ ହୋଇଛନ୍ତି।

ଏଥର ନିର୍ବାଚନ ବେଳେ ବାଲେଶ୍ୱର ଏବଂ କୋରାପୁଟ ଉଭୟ ଆସନ ପାଇଁ କଂଗ୍ରେସ ଆଶାୟୀ ରହିଥିଲା। କିନ୍ତୁ ବିଜେପିର ସୁନାମି ଆଗରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ତିଷ୍ଠି ପାରି ନଥିଲେ। ହେଲେ କୋରାପୁଟ ପାହାଡ଼ରେ ପଦ୍ମ ଫୁଲ ଫୁଟାଇ ଦେଇ ନଥିଲେ ସପ୍ତଗିରି।

ପୂର୍ବତନ କଂଗ୍ରେସ ନେତା ରାମଚନ୍ଦ୍ର ଉଲାକାଙ୍କ ପୁଅ ସପ୍ତଗିରି ଚଳିତ ନିର୍ବାଚନରେ ୧ ଲକ୍ଷ ୪୭ ହଜାର ୭୪୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ବିଜେଡିର କୌଶଲ୍ୟା ହିକକାଙ୍କୁ ପରାସ୍ତ କରିଛନ୍ତି। ଗତ ନିର୍ବାଚନରେ ମଧ୍ୟ କୌଶଲ୍ୟା ତାଙ୍କଠାରୁ ପରାଜିତ ହୋଇଥିଲେ।

ଏଥର ସପ୍ତଗିରିଙ୍କୁ ମିଳିଛି ମୋଟ ୪ ଲକ୍ଷ ୭୧ ହଜାର ୩୯୩ ଭୋଟ। ସେହିପରି କୌଶଲ୍ୟା ହିକକା ପାଇଛନ୍ତି ୩ ଲକ୍ଷ ୨୩ ହଜାର ୬୪୯ ଭୋଟ। ବିଜେପିର କାଳିରାମ ମାଝିଙ୍କୁ ୨ ଲକ୍ଷ ୩୨ ହଜାର ୫୧୪ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଭୋଟ ଭାଗ ଦେଖିବାକୁ ଗଲେ ଏଥର ସପ୍ତଗିରିଙ୍କୁ ୪୧.୦୩ ପ୍ରତିଶତ, କୌଶଲ୍ୟାଙ୍କ ୨୮.୧୭ ପ୍ରତିଶତ ଏବଂ କାଳିରାମଙ୍କୁ ୨୦.୨୪ ପ୍ରତିଶତ ଭୋଟ ମିଳିଛି।

ଗତ ନିର୍ବାଚନରେ ସପ୍ତଗିରି ଉଲାକା କୌଶଲ୍ୟାଙ୍କଠାରୁ ମାତ୍ର ୩ ହଜାର ୬୧୩ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ଏଥର ୧ ଲକ୍ଷ ୪୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।

Tags: #OdishaAssemblyElection2024 #Congress #OdishaVotes #Odisha

LEAVE A REPLY

Please enter your comment!
Please enter your name here