ଓଡ଼ିଶାଲାଇଭ୍ ବ୍ୟୁରୋ

(ସୁନ୍ଦରଗଡ଼): ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ଓମ୍ବାଡସି ଏବଂ ଡିଏମଏଫ ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସେ କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ଗୁରୁବାର ଦିନ ଓମ୍ବାଡସିର ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ପଟ୍ଟନାୟକ ବଡ଼ ଗାଁ ଏବଂ ସୁନ୍ଦରଗଡ଼ ସଦର ବ୍ଲକରେ ବିଭିନ୍ନ ପ୍ରକଳ୍ପ ସ୍ଥଳ ବୁଲି ଦେଖିଥିଲେ। ବଡ଼ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଓମ୍ବାଡସି ପାଣ୍ଠି ସହାୟତାରେ କରାଯାଇଥିବା ଓପିଡି ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ଏହି ବ୍ୟବସ୍ଥା କିପରି ସହାୟକ ହେଉଛି ସେ ବିଷୟରେ ଅଧିକାରୀ ଓ ରୋଗୀମାନଙ୍କଠାରୁ ପଚାରି ବୁଝିଥିଲେ।

ସୁନ୍ଦରଗଡ଼ ହେଉଛି ହକିର ଗଡ଼। ତେଣୁ ହକି ଖେଳ ପ୍ରତି ବିଶେଷ ଆଗ୍ରହ ରଖିଥିବା ଯୁବପିଢ଼ିଙ୍କୁ ଆବଶ୍ୟକ ତାଲିମ ଦେବା ପାଇଁ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ହକି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ଅବସରରେ ଓମ୍ବାଡସି ଓଭରସାଇଟ୍ ଅଥରିଟି ସହଜବାହାଲସ୍ଥିତ ହକି ପ୍ରଶିକ୍ଷଣ କେନ୍ଦ୍ର ବୁଲି ଦେଖିଥିଲେ।

ଲୋକମାନଙ୍କ ଜୀବିକା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଛେଳି ଓ କୁକୁଡ଼ା ପାଳନ ଲାଗି ଓମ୍ବାଡସି ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ଗସ୍ତ ବେଳେ ଓଭରସାଇଟ୍ ଅଥରିଟି ବଡ଼ ଗାଁ ବ୍ଲକର ଫୁଲବାଡ଼ି ଗ୍ରାମପଞ୍ଚାୟତj କେତେକ ହିତାଧିକାରୀଙ୍କୁ ଭେଟିଥିଲେ। ଛେଳି ଓ କୁକୁଡ଼ା ପାଳନ ସେମାନଙ୍କ ଜୀବନ ଜୀବିକାରେ କିପରି ଉନ୍ନତି ଆଣିପାରିଛି ସେନେଇ କଥା ହୋଇଥିଲେ।

ସୁନ୍ଦରଗଡ଼ କିରେଇସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଓମ୍ବାଡସିର ଆର୍ଥିକ ସହାୟତା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୈଷୟିକ ସହାୟତାରେ ସ୍ଥାନୀୟ ଚାଷୀ ଓ କୃଷି ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ ଆଇସିଟି କେନ୍ଦ୍ର ଓ ସହାୟତା କେନ୍ଦ୍ର କରାଯାଇଛି। ଏହି ଅବସରରେ ଓଭରସାଇଟ୍ ଅଥରିଟି ଏହି ଦୁଇଟି କେନ୍ଦ୍ରକୁ ଉଦଘାଟନ କରିବା ସହ ହିତାଧିକାରୀଙ୍କ ସହ କଥା ହୋଇଥିଲେ।

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ ଓଭରସାଇଟ୍ ଅଥରିଟି। ସେଠାରେ ସେ ରୋଗୀମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ଅନୁଧ୍ୟାନ କରିବା ସହ ଓମ୍ବାଡସି ସହାୟତାରେ କରାଯାଇଥିବା ଜିଲ୍ଲା ତାଲିମ କେନ୍ଦ୍ର ବୁଲି ଦେଖିଥିଲେ। ସେହିପରି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରକୁ ଯାଇ ଭିନ୍ନକ୍ଷମ ରୋଗୀଙ୍କ ପାଇଁ ରହିଥିବା ଆଧୁନିକ ଚିକିତ୍ସା ଓ ପୁନର୍ବାସ ବିଷୟରେ କେନ୍ଦ୍ରର ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ।

ପ୍ରଥମ ଦିନର କ୍ଷେତ୍ରସ୍ତରୀୟ ପରିଦର୍ଶନ ପରେ ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ଭବନଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଜଷ୍ଟିସ୍ ପଟ୍ଟନାୟକ। ଓମ୍ବାଡସି ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେ ବିଭାଗୀୟ ଅଧିକାରୀମାନଙ୍କଠାରୁ ପଚାରି ବୁଝିଥିଲେ। ନିର୍ଦ୍ଧାରିତ ସମୟ ଭିତରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି କାର୍ଯ୍ୟକ୍ରମର ସଫଳତା ପାଇଁ ସେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଓମ୍ବାଡସି ସିଇଓ ଜି ରାଜେଶ, ଓଭରସାଇଟ୍ ଅଥରିଟିଙ୍କ ଓଏସଡି ଶେଖ୍ ନଇମୁଦ୍ଦିନ୍, ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖବନ୍ଧୁ ନାୟକ, ସୁନ୍ଦରଗଡ଼ ଡିଏମଏଫର ସିଇଓ ସୁଷମା ବିଲୁଙ୍ଗ, ଓମ୍ବାଡସି ଜେନେରାଲ ମ୍ୟାନେଜର (ଅପରେସନ) ଜୟନ୍ତ କୁମାର ଦାସ, ଟିମ୍ ଲିଡର ଅମ୍ବୁଜ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଓମ୍ବାଡସି ଓ ଡିଏମଏଫର ଅଧିକାରୀମାନେ ଯୋଗ ଦେଇଥିଲେ।

ଦ୍ୱିତୀୟ ଦିନରେ ଜଷ୍ଟିସ୍ ପଟ୍ଟନାୟକ ରଙ୍ଗାଢ଼ିପାଠାରେ ଥିବା ସ୍ପିରୁଲିନା ଚିକି ପ୍ରସ୍ତୁତ କେନ୍ଦ୍ରକୁ ଯାଇଥିଲେ। ଏହି କାମରେ ନିୟୋଜିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକା ବିଷୟରେ ସେ କଥା ହୋଇଥିଲେ। ଏହା ପରେ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ ଅଧୀନରେ ଲୋକଙ୍କ ଦୁଆର ମୁହଁରେ ପହଞ୍ଚୁଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ମୌଳିକ ଟସର ବୀଜାଗାର ପରିଦର୍ଶନ କରିଥିଲେ। ସେହିପରି ସେ ସୁନ୍ଦରଗଡ଼ ଆମଲିପାଲିଠାରେ ଜନଜାତି ଗବେଷଣା ଓ ଉନ୍ନୟନ କେନ୍ଦ୍ର ସ୍ଥାପନ ପାଇଁ ନିର୍ଦ୍ଧାରିତ ଜାଗା ବୁଲି ଦେଖିଥିଲେ।

Tags: #OMBADC #ProjectReview #Sundargarh #Odisha

LEAVE A REPLY

Please enter your comment!
Please enter your name here