ଓଡ଼ିଶାଲାଇଭ୍ ବ୍ୟୁରୋ

୬ ମାସ ଛୁଟି ନେଲେ ସୁଜାତା ଆର କାର୍ତ୍ତିକେୟନ। ଆସନ୍ତା ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ରହିବେ ସୁଜାତା କାର୍ତ୍ତିକେୟନ। ନିଜ ଝିଅର ଯତ୍ନ ନେବା ଲାଗି ସେ ଛୁଟିରେ ଥିବା ଦର୍ଶାଇଛନ୍ତି।
ଗତ ମେ’ ୩୧ରୁ ଆସନ୍ତା ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ରହିବେ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ସୁଜାତା କାର୍ତ୍ତିକେୟନ। ଝିଅର ଦଶମ ପରୀକ୍ଷା ଥିବାରୁ ତା’ର ଯତ୍ନ ନେବା ଲାଗି ସୁଜାତା କାର୍ତ୍ତିକେୟନ ଛୁଟି ନେଇଥିବା ଦର୍ଶାଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ ଛୁଟି ମଞ୍ଜୁରୀ କରାଯାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନିର୍ବାଚନରେ ବିଜେଡିକୁ ସମର୍ଥନ କରିବା ଦିଗରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ସୁଜାତା କାର୍ତ୍ତିକେୟନ ନିଜ ପଦବୀର ଅପବ୍ୟବହାର କରୁଥିବା ନେଇ ବିଜେପି ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।
ଏହା ପରେ ଗତ ମେ’ ୩ ତାରିଖରେ ଓଡ଼ିଶା ମିଶନ ଶକ୍ତି ବିଭାଗର ସଚିବ ଥିବା ସୁଜାତା କାର୍ତ୍ତିକେୟନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ।
ସୁଜାତା କାର୍ତ୍ତିକେୟନଙ୍କୁ ଉଭୟ ମିଶନ ଶକ୍ତି ବିଭାଗର ସଚିବ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଥିଲା।
Tags: #SujataKarthikeyan #Leave #ChildCareLeave #Odisha #FinanceDept


















