ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ବଲିଉଡ୍ ହେଉ ବା ଓଲିଉଡ୍, ବର୍ତ୍ତମାନ ସମୟରେ ସବୁଠି ପ୍ରତିଭାସମ୍ପନ୍ନ ଅଭିନେତା ଓ ନିର୍ଦ୍ଦେଶକମାନଙ୍କର ଚାହିଦା ରହିଛି। ତେଣୁ ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଲିଉଡର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ଭୁବନେଶ୍ୱରରେ ଏକ ଅଫିସ୍ ଖୋଲିବେ। ଏହା ଓଡ଼ିଶାରେ କଳାକାରମାନଙ୍କ ଅଡିସନ୍ ଓ କାଷ୍ଟିଂ ଲାଗି କାର୍ଯ୍ୟ କରିବ ବୋଲି ମୁକେଶ ଛାବ୍ରା କହିଛନ୍ତି।

ଭୁବନେଶ୍ୱର ଜୟଦେବ ଭବନଠାରେ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ଚାଲିଛି। ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଚଳଚ୍ଚିତ୍ରରେ ଅଭିନୟ ଉପରେ ଏକ ସ୍ୱତନ୍ତ୍ର ‘ମାଷ୍ଟର କ୍ଳାସ’ ଆୟୋଜନ କରାଯାଇଥିଲା। ଏଥିରେ ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ଯୋଗଦେଇ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଆଗ୍ରହ ରଖୁଥିବା ଯୁବ ପ୍ରତିଭାମାନଙ୍କୁ ବିଶେଷ ତାଲିମ ଓ ପରାମର୍ଶ ଦେଇଛନ୍ତି।

“ଅଭିନୟ କରିବା ସହଜ ନୁହେଁ, ଏହା ଗୋଟିଏ କଳା। ଯେଉଁମାନେ ଅଭିନୟ କରିବାକୁ ଚାହୁଁଛନ୍ତି ବା ଏଇ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ମନରେ ଆତ୍ମବିଶ୍ଵାସ ରଖି ଆଗକୁ ବଢିବାକୁ ହେବ। ଏହାସହିତ ସିନେମା ଜଗତ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ’’, କହିଛନ୍ତି ମୁକେଶ ଛାବ୍ରା।

ଏହି ‘ମାଷ୍ଟର କ୍ଳାସ’ରେ ଓଡ଼ିଆ ସିନେମା ଓ ନାଟ୍ୟ ଜଗତର କଳାକାରଙ୍କ ସହିତ ଗଣମାଧ୍ୟମର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ସେମାନେ ଅଭିନୟ, ନିର୍ଦ୍ଦେଶନା ଆଦି ବିଷୟରେ ମୁକେଶ ଛାବ୍ରାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଶ୍ରୀଯୁକ୍ତ ଛାବ୍ରା ଅତି ସରଳ ଭାବେ ଏହାର ଉତ୍ତର ଦେଇଥିଲେ।

ମାଷ୍ଟର କ୍ଲାସ ପରେ ମୁକେଶ ଛାବ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାl ଏହି ଅବସରରରେ ବଲିଉଡ ଫିଲ୍ମ ମେକର କେତନ ମେହଟ୍ଟl, ଅଭିନେତା ତଥା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ, ବଲିଉଡ ସାଉଣ୍ଡ ଡିଜାଇନର ସୁବାସ ସାହୁ ଏବଂ ଫିଲ୍ମ ଫେଷ୍ଟିଭାଲର ଅନ୍ୟତମ ଆୟୋଜକ ତଥା ଅଭିନେତା ସୁକାନ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ଦିନରେ ‘ଅହଲ୍ୟା’, ‘ଧଉଳି ଏକ୍ସପ୍ରେସ’, ‘ତାରା’, ‘ଶୁକ ଆସୁଛି’ ଏବଂ ‘ଜୀଅନ୍ତା ଭୂତ’ ଭଳି ୫ଟି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ଫିଲ୍ମଗୁଡ଼ିକୁ ଦେଖିବା ପାଇଁ ଜୟଦେବ ଭବନ ପ୍ରେକ୍ଷାଳୟରେ ଦର୍ଶକମାନଙ୍କ ଭିଡ଼ ଲାଗିଥିଲା। ଆସନ୍ତା ରବିବାର ଏହି ଫେଷ୍ଟିଭାଲ ଶେଷ ହେବ।

Tags: #BhubaneswarFilmFestival #BFF #MukeshChhabra #Films #ClassicOdiaCinema #CinemaIndustry #Odisha

LEAVE A REPLY

Please enter your comment!
Please enter your name here