ଓଡ଼ିଶାଲାଇଭ୍ ବ୍ୟୁରୋ
ଯେଉଁ ଓଡ଼ିଆ ଚଳଚ୍ଚିତ୍ରରୁ ଲୋକେ ଦିନେ ମୁହଁ ଫେରାଉଥିଲେ, ଆଜି ସେଇ ଓଡ଼ିଆ ଚଳଚ୍ଚିତ୍ର ଏବେ ଦର୍ଶକଙ୍କ ପ୍ରଥମ ପସନ୍ଦ। ଦର୍ଶକଙ୍କ ଏପରି ସ୍ନେହ, ଶ୍ରଦ୍ଧା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିଜ୍କୁ ଦେଉଛି ନୂଆ ପରିଚୟ। ଚଳଚ୍ଚିତ୍ର ନିର୍ମାଣରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ମଧ୍ୟ ମିଳୁଛି ଭିନ୍ନ ପରିଚୟ।
ରାଜ୍ୟ ଚଳଚ୍ଚିତ୍ର ଜଗତରେ ଆସିଥିବା ପରିବର୍ତ୍ତନର ଅନେକ କାରଣ ରହିଛି। ଭିନ୍ନ ତଥା ଅନୁସନ୍ଧାନମୂଳକ କାହାଣୀ, ନୂଆ ଚରିତ୍ର, ସଦ୍ୟତମ ଘଟଣାବଳୀ ଆଧାରିତ ମନଛୁଆଁ ପରିବେଷଣ ଏବେ ଓଡ଼ିଆକୁ ଲୋକପ୍ରିୟ କରିଥିବା ଅନେକ ସିନେମା ସମୀକ୍ଷକ ମତ ଦେଇଛନ୍ତି।
‘ଦମନ’ ଦେଲା ନୂଆ ଦିଗ
ବିଶେଷ କରି ୨୦୨୨ରେ ମୁକ୍ତିଲାଭ କରିଥିବା ‘ଦମନ’ ଓଡ଼ିଶାକୁ ସିନେ ଜଗତରେ ଦେଇଥିଲା ଅନନ୍ୟ ପରିଚୟ। ଏହାକୁ ଆଇଏମ୍ଡିବି ରେଟିଂ ୮.୮ ମିଳିବା ପରେ ଯୁବପିଢ଼ି ଏହି ଫିଲ୍ମର କାହାଣୀ ପ୍ରତି ବେଶ୍ ଆକର୍ଷିତ ହୋଇଥିଲେ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଓଡ଼ିଶାର ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଜଣେ ଡାକ୍ତର ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ କିପରି ସଚେତନ କରିବା ସହ ଅନ୍ଧବିଶ୍ୱାସରୁ ମୁକ୍ତ କରାଇଥିଲେ; ତାହା ହେଉଛି ଏହି ଚଳଚ୍ଚିତ୍ରର ମୁଖ୍ୟ ବାର୍ତ୍ତା।
ଏହି ଫିଲ୍ମରେ ବିଭିନ୍ନ ଚରିତ୍ରରେ ଅଭିନେତାମାନଙ୍କର ନିଚ୍ଛକ ଅଭିନୟ ଓଡ଼ିଆ ସିନେ ଜଗତକୁ ନୂଆ ଆଶାର ଆଲୋକ ଦେଖାଇଥିଲା। ଡାକ୍ତର ଚରିତ୍ରରେ ଅଭିନୟ କରିଥିବା ବାବୁଶାନ୍ଙ୍କ ସହିତ ଫାର୍ମାସିଷ୍ଟ ଚରିତ୍ରରେ ନୂଆ ଚେହେରା ଭାବେ ଦିପନ୍ୱିତ ଦାସମହାପାତ୍ରଙ୍କ ଅବଦାନ ତଥା ଦୁହିଁଙ୍କ ଯୋଡ଼ି ଫିଲ୍ମର ଅନ୍ୟ ଏକ ଆକର୍ଷଣ ସାଜିଥିଲା।
ଏହି ଚଳଚ୍ଚିତ୍ର ରାଜ୍ୟ ବାହାରେ ମଧ୍ୟ ଏହି ଫିଲ୍ମ ଭଲ ରୋଜଗାର କରିଥିଲା। ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ଆକୃଷ୍ଟ ମନୋଭାବକୁ ଦେଖି ଓଡ଼ିଶା ସରକାର ଏହାକୁ କରମୁକ୍ତ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ର ପରଠାରୁ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିଜ୍ର ନୂଆ ଅଭ୍ୟୁଦୟ ହୋଇଥିଲା।
କାହାଣୀ ଉପରେ ଗୁରତ୍ଵ
‘ଦମନ’ କାହାଣୀ ପ୍ରତି ଦର୍ଶକଙ୍କର ଏଭଳି ଆକର୍ଷଣ ଦେଖି ସିନେ ନିର୍ମାତା ଖୁବ୍ ଭଲ ଭାବେ ବୁଝି ଯାଇଥିଲେ ଯେ, ଦର୍ଶକମାନେ ଏବେ କ’ଣ ଚାହାଁନ୍ତି। ଏହାକୁ ଆଧାର କରି ୨୦୨୨ରେ ‘ପ୍ରତୀକ୍ଷା’, ୨୦୨୩ରେ ‘ମାଲ୍ୟଗିରି’ ଓ ‘ପୁଷ୍କରା’, ୨୦୨୪ରେ ‘କୁହୁଡ଼ି’, ‘ବିଗୁଲ’ ଓ ‘ପାୱାର’ ଭଳି ସଦ୍ୟତମ ଘଟଣାବଳୀ ଓ କାଳ୍ପନିକ କାହାଣୀ ବିଶିଷ୍ଟ ହିଟ୍ ଚଳଚ୍ଚିତ୍ରମାନ ଦର୍ଶକଙ୍କୁ ଭେଟି ଦେଇଥିଲେ ସିନେ ନିର୍ମାତା। ଦର୍ଶକମାନେ ମଧ୍ୟ ଏହିଭଳି ଅଲଗା ଚରିତ୍ର ଓ ନୂଆ କାହାଣୀକୁ ବିଶେଷ ଭାବେ ପସନ୍ଦ କରୁଛନ୍ତି। ଏହି ସବୁ ଫିଲ୍ମର ଆଇଏମ୍ଡିବି ରେଟିଂ ୮ରୁ ୯.୫ ମଧ୍ୟରେ ରହିଛି।
ପୂର୍ବରୁ ଯେଉଁ ଚଳଚ୍ଚିତ୍ର ନିର୍ମାଣ କରାଯାଉଥିଲା, ତାହା ଅନୁବାଦ ଆଧାରିତ ଥିଲା। ସେଥିରେ ନୂତନତ୍ୱ କିଛି ପରିଲକ୍ଷିତ ହେଉ ନ ଥିଲା। ଏଥିଯୋଗୁ ଲୋକେ ଓଡ଼ିଆ ସିନେମାକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବା ସହ ଓଡ଼ିଆ ସିନେମା ପ୍ରତି ସେମାନଙ୍କର ଆଦର କମି ଯାଉଥିଲା।
ଏବେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିଜ୍ର ନବକଳେବର ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁଣିଥରେ ଓଡ଼ିଆ ସିନେମା ପ୍ରତି ଲୋକଙ୍କ ବିଶ୍ୱାସ ଦୃଢ଼ ହୋଇଛି। ‘ଦମନ’ଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ଚଳଚ୍ଚିତ୍ର ନିର୍ମାଣ ହୋଇଛି ସେଥିରୁ ଅଧିକାଂଶ ନୂଆ କାହାଣୀ, ଅନୁସନ୍ଧାନମୂଳକ, ସଦ୍ୟତମ ଘଟଣା ଉପରେ ଆଧାରିତ। ଆଉ ଦର୍ଶକମାନେ ମଧ୍ୟ ଏହିଭଳି କାହାଣୀକୁ ଖୁବ୍ ପସନ୍ଦ କରୁଛନ୍ତି।
ଫିଲ୍ମ ଇଣ୍ଡଷ୍ଟ୍ରିଜ୍ର ନିର୍ମାତା, ନିର୍ଦ୍ଦେଶକ, କାହାଣୀକାର ଓ ଅନ୍ୟ ସମୁଦାୟ ଏବେ ଦର୍ଶକଙ୍କ ମାନସିକତାକୁ ବେଶ୍ ଭଲଭାବେ ବୁଝିଗଲେଣି। ସେଇ ପୁରୁଣା ଢାଞ୍ଚା ତଥା ଦକ୍ଷିଣ ସିନେମାରୁ ଅନୁବାଦ ଆଧାରିତ ଫିଲ୍ମ କରିବାରୁ ସମସ୍ତେ ଦୂରେଇ ରହୁଛନ୍ତି।
Tags: #OdiaMovie #FilmIndustry #Films #Story #Odisha