ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ଦିନ ଓଡ଼ିଶା ଛୁଇଁଛି। ମାଲକାନଗିରି ଜିଲ୍ଲାରେ ଅଗ୍ରସର ହୋଇଛି ମୌସୁମୀବାୟୁ। ଏଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ଏବେ ଦକ୍ଷିଣ ଓଡ଼ିଶାରେ କିଛି ଆସିଥିବାବେଳେ କିଛି ଦିନ ମଧ୍ୟରେ ସାରା ରାଜ୍ୟରେ ସକ୍ରିୟ ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସାଧାରଣତଃ ଜୁନ୍ ଦ୍ଵିତୀୟ ସପ୍ତାହରେ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ। ହେଲେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ୪ରୁ ୫ ଦିନ ପୂର୍ବରୁ ଏହା ଓଡ଼ିଶାରେ ପହଞ୍ଚିଛି।
ଏହାପୂର୍ବରୁ ମେ’ ୩୦ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥିଲା। ପରେ ଏହା ଦକ୍ଷିଣ ଆରବ ସାଗର, କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ, ଲାକ୍ଷାଦ୍ଵୀପ, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ବଙ୍ଗୋପସାଗରର କିଛି ଅଂଶ ଉପରେ ଦେଇ ଗତି କରିଥିଲା।
ଏବେ ଓଡ଼ିଶାରେ ପାଗ ଉଷ୍ମ ଓ ଆର୍ଦ୍ର ରହୁଛି। ଜଳୀୟବାଷ୍ପର ଅଧିକ ମାତ୍ର ଯୋଗୁଁ ଆର୍ଦ୍ରତା ବୃଦ୍ଧି ପାଇ ଗୁଳୁଗୁଳି ହେଉଛି। ଏଥିପାଇଁ ରାଜ୍ୟର ସବୁ ଅଞ୍ଚଳରେ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Tags: #SouthWestMonsoon #Rain #Odisha #IMD #MCBBSR