ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ପାଇଲା ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକରେ ଏନେଇ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ନାଁରେ ମୋହର ବାଜିଛି। ବୁଧବାର ଅପରାହ୍ଣରେ ସେ ଭୁବନେଶ୍ୱର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ନେବେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ହେବାକୁ ଯାଉଥିବାରୁ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି।

ଚାରି ଚାରି ଥର ବିଧାୟକ

୧୯୭୨ ମସିହା ଜାନୁଆରି ୬ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ମୋହନ ଚରଣ ମାଝୀ। କଳାରେ ସ୍ନାତକ କରିଥିବା ମୋହନ ପ୍ରଥମେ ଶିଶୁ ମନ୍ଦିରରେ ଗୁରୁଜୀ ଭାବେ ଚାକିରି କରୁଥିଲେ। ଏହାପରେ ଭାରତୀୟ ଜନତା ପାର୍ଟିରୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ।

ସେ ୧୯୯୭ରେ ସରପଞ୍ଚ ଥିଲେ। ୨୦୦୦ ମସିହାରେ ସେ ପ୍ରଥମ ଥର ପାଇଁ କେନ୍ଦୁଝର ସଦର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୨୦୦୪ରେ ପୁଣିଥରେ ମୋହନ ବିଜେପି ଟିକେଟରେ ଜିତିଥିଲେ।

୨୦୦୯ ଏବଂ ୨୦୧୪ରେ ମୋହନ ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ। ୨୦୧୯ରେ ପୁଣି କେନ୍ଦୁଝର ରାଜନୀତି କଡ଼ ଲେଉଟାଇଥିଲା। ମୋହନ ମାଝୀଙ୍କ ଉପରେ କେନ୍ଦୁଝରବାସୀ ଭରସା କରିଥିଲେ। ମୋହନ ବିଧାୟକ ଭାବେ ଜିତି ବିରୋଧୀ ଦଳ ମୁଖ୍ୟ ସଚେତକ ହୋଇଥିଲେ।

ଚର୍ଚ୍ଚାରେ ପୂର୍ଣ୍ଣଛେଦ ମୋହନ ମାରିଲେ ବାଜି

ଚଳିତ ନିର୍ବାଚନରେ ବିଜେପି ସରକାର ଗଢ଼ିବା ପାଇଁ ବହୁମତ ପାଇବା ପରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଏହି ରେସରେ ଅନେକ ବରିଷ୍ଠ ନେତାଙ୍କ ନାଁ ଆଗରେ ରହିଥିଲା। ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ପୂର୍ଣ୍ଣଛେଦ ପଡ଼ିଛି। ଶେଷରେ ମୋହନ ଚରଣ ମାଝୀଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ପାଗ ଭିଡ଼ା ଯାଇଛି।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଭୁପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବିଜେପିର ଏହି ଦୁଇ ତୁଙ୍ଗ ନେତା ଓଡ଼ିଶାରେ ପହଞ୍ଚିବା ପରେ ମଙ୍ଗଳବାର ଅପରାହ୍ଣରେ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ମୋହନ ମାଝୀଙ୍କୁ ସର୍ବସମ୍ମତି କ୍ରମେ ନେତା ଭାବେ ଚୟନ କରାଯାଇଛି।

ଓଡ଼ିଶାରେ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ବିଜେପି କେବେ ଏକାକୀ ସରକାର ଗଠନ କରିନଥିଲା। ୨୦୦୦ରୁ ୨୦୦୯ ଯାଏଁ ବିଜେପି-ବିଜେଡି ମେଣ୍ଟ ସରକାର ଚାଲିଥିଲା। ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ପୂର୍ଣ୍ଣ ବହୁମତ ପାଇଛି। ଫଳରେ ମୋହନ ଚରଣ ମାଝୀ ଓଡ଼ିଶା ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ସବୁଠୁ ବଡ଼ କଥା ହେଉଛି ବିଜେପି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରି ଆଦିବାସୀଙ୍କୁ ଗୁରୁତ୍ୱ ଦେଉଥିବା ସ୍ପଷ୍ଟ କରିଛି।

୨୦୨୪ ନିର୍ବାଚନରେ ବିଜେଡିର ଅଭେଦ୍ୟ ଦୁର୍ଗକୁ ଭାଙ୍ଗି ବିଜେପି ସରକାର ଗଠନ କରିବା ପାଇଁ ପୂର୍ଣ୍ଣ ବହୁମତ ପାଇଛି। ମୋଟ ୧୪୭ଟି ଆସନରୁ ବିଜେପି ୭୮ଟି ଆସନ ପାଇଥିବା ବେଳେ ବିଜେଡି ୫୧ ଏବଂ କଂଗ୍ରେସ ୧୫ଟି ଆସନ ପାଇଛି।

Tags: #Politics #OdishaPolitics #NewCMofOdisha #MohanCharanMajhi #OathTakingCeremony #OdishaElections2024 #BJP

LEAVE A REPLY

Please enter your comment!
Please enter your name here