ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚନ୍ଦ୍ରବାବୁ ନାଇଡୁ। ବୁଧବାର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଅବଦୁଲ ନାଜିର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଠାରେ ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାସହ ଏନଡିଏର ୨୪ ଜଣ ନେତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲା ଗନ୍ନାଭରମର ଆଇଟି ପାର୍କ ନିକଟରେ ଆନ୍ଧ୍ରପ୍ରଦେଶର ନୂଆ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ସମେତ ଅନେକ ବରିଷ୍ଠ ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ଚଳିତ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ୱାଇଏସଆର କଂଗ୍ରେସ ପାର୍ଟିକୁ ପଛରେ ପକାଇ କ୍ଷମତା ହାସଲ କରିଥିଲା ତେଲଗୁ ଦେଶମ ପାର୍ଟି (ଟିଡିପି)। ଏଠାରେ ଟିଡିପି ଅନ୍ୟ ଦୁଇ ଦଳ ଜନସେନା ପାର୍ଟି ଓ ବିଜେପି ସହ ମିଶି ନିର୍ବାଚନ ଲଢ଼ିଥିଲା।

୨୦୨୪ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଟିଡିପି ଓ ଏନଡିଏର ଅନ୍ୟ ଦୁଇ ଦଳ ମିଶି ମୋଟ ୧୭୫ ଆସନରୁ ୧୬୪ଟି ହାତେଇଥିଲେ। ସେଥିରୁ ଟିଡିପି ୧୩୫ଟି, ଜନସେନା ପାର୍ଟି ୨୧ଟି ଓ ବିଜେପି ୮ଟି ଆସନ ଜିତିଥିଲା।

Tags: #ChandraBabuNaidu #CMofAndhraPradesh #TDP #NDA #AndhraPradesh

LEAVE A REPLY

Please enter your comment!
Please enter your name here