ଓଡ଼ିଶାଲାଇଭ୍ ବ୍ୟୁରୋ


ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ରାଜ୍ୟରେ ଗଠିତ ହୋଇଛି ବିଜେପିର ପ୍ରଥମ ସରକାର। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ ବୋଲି ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ।

“ଓଡ଼ିଶା ପାଇଁ  ଆଜି ଏକ ଐତିହାସିକ ଦିନ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେପି ଏଠାରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି। ଭୁବନେଶ୍ଵରରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ମୁଁ ବହୁତ ଆନନ୍ଦିତ”, କହିଛନ୍ତି ନରେନ୍ଦ୍ର ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆମେ ରାଜ୍ୟକୁ ବିକାଶ ପଥରେ ଆଗେଇ ନେବୁ।”

ବୁଧବାର ଓଡ଼ିଶାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଠାରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ କନକବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାସହ ୮ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଥିଲେ।

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସମେତ ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ।

Tags: #NewCMofOdisha #MohanCharanMajhi #OathTakingCeremony #OdishaElections2024 #PrimeMinister #BJP

LEAVE A REPLY

Please enter your comment!
Please enter your name here