ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଖୋଲିଛି ଶ୍ରୀମନ୍ଦିରର ଚାରି ଦ୍ଵାର। ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନୂଆ ମନ୍ତ୍ରିମଣ୍ଡଳର ସବୁ ସଦସ୍ୟଙ୍କ ଉପସ୍ଥିତିରେ ଏହି ଦ୍ୱାରଗୁଡ଼ିକୁ ଖୋଲାଯାଇଛି। ଚାରିଦ୍ଵାର ଖୋଲିବା ପରେ ଭକ୍ତମାନେ ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।

ବୁଧବାର ରାତିରେ ପ୍ରଥମ କ୍ୟାବିନେଟ ବୈଠକ ପରେ ବିଜେପିର ସବୁ ବିଧାୟକ ତଥା ସାଂସଦ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲାଯିବା ବିଷୟରେ ସମୀକ୍ଷା କରିଥିଲେ। ଗୁରୁବାର ସକାଳେ ସବୁ ନେତା ଶ୍ରୀମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇଥିଲେ। ଏହାପରେ ବିଧିବଦ୍ଧ ଭାବରେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲାଯାଇଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ନେତାମାନଙ୍କ ସହ ମନ୍ଦିର ଭିତରକୁ ଯାଇ ମଙ୍ଗଳ ଆଳତୀ ଦେଖିବା ସହ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଓଡ଼ିଶାରେ ବିଜେପି ସରକାର ଗଠନ ହେବାପରେ ବୁଧବାର ରାତିରେ ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା। ଏଠାରେ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲାଯିବା ନେଇ ଘୋଷଣା କରାଯାଇଥିଲା।

୨୦୨୦ ମସିହାର କୋଭିଡ୍ ମହାମାରୀ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲା ଥିଲା। ହେଲେ କୋଭିଡ୍ ବେଳେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରକୁ ବନ୍ଦ ରଖିଥିଲେ ପୂର୍ବତନ ସରକାର। ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପରେ ମନ୍ଦିରର ୩ଟି ଦ୍ଵାର ବନ୍ଦ ହୋଇଥିଲା।

୨୦୨୨ ଫେବ୍ରୁଆରି ମାସରେ ଭକ୍ତଙ୍କୁ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ ସରକାର। ହେଲେ ଗୋଟିଏ ଦ୍ଵାର ଦେଇ ଭକ୍ତ ଶ୍ରୀମନ୍ଦିର ଯାଉଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ଚାରି ଦ୍ଵାର ଖୋଲିବା ନେଇ ଦାବି ହୋଇ ଆସୁଥିଲା। ଚଳିତ ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ନିଜ ଇସ୍ତାହାରରେ ଘୋଷଣା କରାଯାଇଥିଲା।

Tags: #Srimandir #LordJagannath #4Gates #BJP #Puri #Odisha

LEAVE A REPLY

Please enter your comment!
Please enter your name here