ଓଡ଼ିଶାଲାଇଭ୍ ବ୍ୟୁରୋ

କୁଏତର ମଙ୍ଗଫ୍‌ ସହରର ଏକ ବହୁତଳ କୋଠାରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪୦ ଜଣ ଭାରତୀୟ ଶ୍ରମିକ ରହିଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁଏତରେ ଥିବା ଭରତୀୟ ଦୂତାବାସ ପକ୍ଷରୁ ଘଟଣାରେ ପ୍ରଭାବିତ ହୋଇଥିବା ଭାରତୀୟ ଶ୍ରମିକମାନଙ୍କ ସହଯୋଗ କରାଯାଉଛି।

ବୁଧବାର ମଙ୍ଗଫ୍‌ ସହରରେ ଏହି କୋଠାର ରୋଷେଇ ଘରେ ନିଆଁ ଲାଗିଥିଲା। ପରେ ଏହା ସମଗ୍ର କୋଠାକୁ ବ୍ୟାପିଥିଲା। ନିଆଁ ଯୋଗୁଁ ପଞ୍ଚମ ମହଲାରେ ରହୁଥିବା ଅନେକ ଶ୍ରମିକ ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅନେକ ଶ୍ରମିକ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବାବେଳେ କେତେକଙ୍କ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା।

ଏହି ଅଗ୍ନିକାଣ୍ଡର ଖବର ପାଇ ଉଦ୍ଧାରକାରୀ ଦଳ ନିଆଁ ଲିଭାଇବାରେ ଲାଗିଥିଲେ। ନିଆଁକୁ ଆୟତ୍ତ କରିବା ପରେ ଆହତମାନଙ୍କୁ ଉଦ୍ଧାର କରାଯିବା ସହ ମୃତଦେହଗୁଡ଼ିକୁ ବାହାରକୁ ଅଣାଯାଇଥିଲା। ଏହାସହ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଗ୍ନିକାଣ୍ଡ ଘଟିଥିବା ଏହି ୬ ମହଲା କୋଠାଟି କୁଏତର ସବୁଠାରୁ ବଡ଼ ନିର୍ମାଣ ସଂସ୍ଥା ଏନବିଟିସି ଗ୍ରୁପର। ଏଥିରେ ଉକ୍ତ ସଂସ୍ଥାରେ କାମ କରୁଥିବା ପ୍ରାୟ ୨୦୦ ଜଣ ଶ୍ରମିକ ଓ କର୍ମଚାରୀ ରହୁଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିଲେ। ସେମାନେ କେରଳ, ତାମିଲନାଡ଼ୁ, ଜମ୍ମୁ କଶ୍ମୀର ଓ ଉତ୍ତରପ୍ରଦେଶ ଆଦି ରାଜ୍ୟର ଲୋକ। ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ କୁଏତ ସରକାର ଏନବିଟିସି ଗ୍ରୁପକୁ ଦାୟୀ କରିଛନ୍ତି।

ତେବେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଶୋକ ପ୍ରକାଶ କରିଛନ୍ତି। ଘଟଣାରେ ପ୍ରଭାବିତ ହୋଇଥିବା ଭାରତୀୟଙ୍କୁ ସବୁ ସହାୟତା ଯୋଗାଇବା ପାଇଁ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁଏତ୍ ସ୍ଥିତ ଭାରତୀୟ ଦୂତାବାସକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।   

Tags: #IndianWorkers #FireIncident #Death #Kuwait

LEAVE A REPLY

Please enter your comment!
Please enter your name here