ଓଡ଼ିଶାଲାଇଭ୍ ବ୍ୟୁରୋ

କୁଏତର ମଙ୍ଗଫ୍‌ ସହରର ଏକ କୋଠାରେ ହୋଇଥିବା ଅଗ୍ନିକାଣ୍ଡରେ ୪୫ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ରହିଛନ୍ତି। ସେମାନେ ହେଲେ ସନ୍ତୋଷ କୁମାର ଗୌଡ଼ ଓ ମହମ୍ମଦ ଜହୁର। ଶୁକ୍ରବାର ରାତିରେ ସେମାନଙ୍କ ମୃତ ଦେହ ଓଡ଼ିଶାରେ ପହଞ୍ଚିବ।

ମହମ୍ମଦ ଜହୁର କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ତାରାଡାପାଲିର ବାସିନ୍ଦା। ସେହିପରି ସନ୍ତୋଷ ଗୌଡ଼ଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗାଁରେ। ମୃତ୍ୟୁ ଖବର ପାଇ ଉଭୟଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଅନ୍ୟପଟେ କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ ଶୁକ୍ରବାର ସକାଳେ କେରଳର କୋଚି ବିମାନ ବନ୍ଦରରେ ପହଞ୍ଚିଥିଲା। ସେଠାରୁ ମୃତଦେହଗୁଡିକୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଯାଇଛି।

ବୁଧବାର ମଙ୍ଗଫ୍‌ ସହରରେ ଏକ କୋଠାର ରୋଷେଇ ଘରେ ନିଆଁ ଲାଗିଥିଲା। ପରେ ଏହା ସମଗ୍ର କୋଠାକୁ ବ୍ୟାପିଥିଲା। ଏହି ବିଲ୍ଡିଂଟି କୁଏତର ସବୁଠାରୁ ବଡ଼ ନିର୍ମାଣ ସଂସ୍ଥା ଏନବିଟିସି ଗ୍ରୁପର। ଏଥିରେ ଉକ୍ତ ସଂସ୍ଥାରେ କାମ କରୁଥିବା ୧୯୫ଜଣ ଶ୍ରମିକ ଓ କର୍ମଚାରୀ ରହୁଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ସାମିଲ ଥିଲେ।

ନିଆଁ ଯୋଗୁଁ ପଞ୍ଚମ ମହଲାରେ ରହୁଥିବା ଅନେକ ଶ୍ରମିକ ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅନେକ ଶ୍ରମିକ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବାବେଳେ କେତେକଙ୍କ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା।

Tags: #IndianWorkers #FireIncident #Death #Kuwait

Comment