ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ପୋଲିସ ମହାନିର୍ଦ୍ଦେଶକଙ୍କ ସହ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଏହି ଅବସରରେ ସେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି। ପୋଲିସ ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବା ଉପରେ ଗୁରୁତ୍ଵ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏନେଇ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଥାନାକୁ ଆସୁଥିବା ଲୋକଙ୍କର ଅଭିଯୋଗ ଶୁଣିବା ସହ ସେମାନଙ୍କ ପ୍ରତି ଭଲ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା କହିଛନ୍ତି ପୋଲିସ ଡିଜି। ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ସେ ତାଗିଦ କରିଛନ୍ତି।

ରାଜ୍ୟରେ ପୋଲିସର ସ୍ଥିତି ଓ ଆଇନଶୃଙ୍ଖଳା ବାବଦରେ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଏହାସହ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବାକୁ ଥିବା ୩ଟି ନୂଆ ଆଇନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଥିଲା। 

ଏହି ବୈଠକରେ ପୋଲିସ ଡିଜିଙ୍କ ସମେତ ଗୃହ ବିଭାଗର ସ୍ଵତନ୍ତ୍ର ସଚିବ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ପୋଲିସ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାସହ ବିଭିନ୍ନ ଜିଲ୍ଲାର ଏସପି ବୈଠକରେ ସାମିଲ ହୋଇଥିଲେ।  

Tags: #MohanCharanMajhi #CMOOdisha #Police #Odisha

LEAVE A REPLY

Please enter your comment!
Please enter your name here