ଓଡ଼ିଶାଲାଇଭ୍ ବ୍ୟୁରୋ

ଇଟାଲୀର ଆପୁଲିଆ ସହରରେ ଅନୁଷ୍ଠିତ ହୋଇଥିବା ୫୦ତମ ଜି-୭ ଶିଖର ସମ୍ମିଳନୀ ଶେଷ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରି ଶନିବାର ଦିଲ୍ଲୀ ଫେରିଛନ୍ତି। ଏଠାରେ ସେ ଏକାଧିକ ରାଷ୍ଟ୍ରମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଚଳିତ ଲୋକସଭା ନିର୍ବାଚନରେ ବିଜୟଲାଭ କରିବା ପରେ ଏହା ଥିଲା ତାଙ୍କର ପ୍ରଥମ ବିଦେଶ ଯାତ୍ରା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଶୁକ୍ରବାର ଇଟାଲୀରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ସ୍ଵାଗତ କରିଥିଲେ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିଶ୍ଵର ପଛୁଆ ତଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସାମ୍ପ୍ରତିକ ସ୍ଥିତିରେ ଦେଖା ଦେଉଥିବା ବିଭିନ୍ନ ଉତ୍ତେଜନା ଓ ସମସ୍ୟାଗୁଡ଼ିକୁ ବିଶ୍ଵନେତାଙ୍କ ସମ୍ମୁଖରେ ରଖିଥିଲେ।  

ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ୟୁକ୍ରେନର ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି, ବ୍ରିଟେନର ପ୍ରଧାନମନ୍ତ୍ରୀ ୠଷି ସୁନକ୍ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ସହ ଦ୍ଵିପାକ୍ଷିକ ବୈଠକ କରିଥିଲେ। ଏଥିରେ ଭାରତ ଓ ସମ୍ପୃକ୍ତ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟିକ, ଅର୍ଥନୈତିକ ଓ ସାମରିକ ସମ୍ପର୍କ ସୁଦୃଢ଼ କରିବା ଦିଗରେ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଭାରତ ଫେରିବା ପରେ ଚଳିତବର୍ଷର ଜି-୭ ସମ୍ମିଳନୀ ବହୁତ ଫଳପ୍ରଦ ରହିଛି ବୋଲି ଉଲ୍ଲେଖ କରିଛନ୍ତି। ଏହାସହ ଉତ୍ତମ ଆତିଥ୍ୟ ପାଇଁ ଇଟାଲୀକୁ ଧନ୍ୟବାଦ ଜଣାଇଛନ୍ତି।

ଜି-୭ ହେଉଛି ବିଶ୍ଵର ସବୁଠୁ ଅଧିକ ବିକଶିତ ୭ଟି ଦେଶର ସମୂହ। ଏଥିରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା, ଇଟାଲୀ, ଜର୍ମାନୀ ଓ ଜାପାନ ସ୍ଥାୟୀ ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଗୋଟିଏ ଦେଶରେ ଜି-୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ।

ଚଳିତ ବର୍ଷ ଇଟାଲୀ ଜି-୭ ସମ୍ମିଳନୀର ଆୟୋଜକ ଥିଲା। ଏଥିପାଇଁ ଇଟାଲୀ ପକ୍ଷରୁ ସମ୍ମିଳନୀରେ ଭାରତ ସମେତ ତୁର୍କୀ, ଆଲଜେରିଆ, ଆର୍ଜେଣ୍ଟିନା, ବ୍ରାଜିଲ, ଜୋର୍ଡାନ, କେନିୟା, ଟ୍ୟୁନେସିଆ, ଆଫ୍ରିକାନ ୟୁନିୟନ, ୟୁଏଇ ଓ ୟୁକ୍ରେନକୁ ଅତିଥି ରାଷ୍ଟ୍ରଭାବେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଇଥିଲା। ଏହାସହ ସମ୍ମିଳନୀରେ ଭାଟିକାନ ସିଟିର ପୋପ ଫ୍ରାନସିସ୍ ମଧ୍ୟ ଯୋଗ ଦେଇଥିଲେ ।

Tags: #G-7Summit #NarendraModi #PMOIndia #Italy

LEAVE A REPLY

Please enter your comment!
Please enter your name here