ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ବଢ଼ୁଛି। ଏହାରି ମଧ୍ୟରେ ସ୍କୁଲ ଖୋଲିବକି ନାହିଁ ତାକୁ ନେଇ ଦ୍ଵନ୍ଦ୍ଵ ଦେଖାଦେଇଛି।

ଗ୍ରୀଷ୍ମଛୁଟି ସରି ଜୁନ ୧୮ ତାରିଖରୁ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଖୋଲିବାର ଥିଲା। କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବା ତାରିଖ ଘୁଞ୍ଚାଇବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା।

ରାଜ୍ୟର ଅଧିକାଂଶ ସ୍କୁଲର ଛାତ ଆଜବେଷ୍ଟସ ରହିବା ସହ କେତେକ ସ୍କୁଲରେ ପାଣି ଏବଂ ବିଦ୍ୟୁତ ବ୍ୟବସ୍ଥା ନାହିଁ। ଏହି ସମୟରେ ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଆଉ ୨ରୁ ୩ ଦିନ ସ୍କୁଲ ଖୋଲିବା ତାରିଖ ଘୁଞ୍ଚାଇବାକୁ ଓଷ୍ଟା ପକ୍ଷରୁ ସରକାରଙ୍କ ନିକଟରେ ନିବେଦନ କରାଯାଇଥିଲା।

ଏହା ଉପରେ ବିଚାର କରି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ, ବେସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକୁ ଖୋଲିବା ତାରିଖ ଏବଂ ସମୟ ଧାର୍ଯ୍ୟ କରିବେ। ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

Tags: #Education #Odisha #School #HeatWave #SummerVacation

LEAVE A REPLY

Please enter your comment!
Please enter your name here