ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ଉଗ୍ର ରୂପ ଧାରଣ କରିଛି। ସହରର ସୁନହାଟ ଅଞ୍ଚଳରେ ସୋମବାର ହୋଇଥିବା ସଂଘର୍ଷରେ ୫ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହରରେ କର୍ଫ୍ୟୁ ଜାରି ହୋଇଛି। ଏହାସହ ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।

ସୋମବାର ଅପରାହ୍ଣରେ ବାଲେଶ୍ଵରର ସୁନହାଟ ଅଞ୍ଚଳରେ ରାସ୍ତା କଡ଼ ଡ୍ରେନରେ ପ୍ରବଳ ରକ୍ତ ବୋହି ଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେମାନେ ପୋଲିସରେ ଖବର ଦେଇଥିଲେ। ପୋଲିସ ଓ ଅନ୍ୟ ଲୋକମାନେ ଯେଉଁଠାରୁ ରକ୍ତ ଛଡ଼ାଯାଉଥିଲା, ସେ ସ୍ଥାନକୁ ଯିବାପରେ ସେଠାକାର ଲୋକମାନେ ଏକାଠି ହୋଇ ଏହାର ବିରୋଧ କରିଥିଲେ। ଏହାପରେ ସେମାନେ ପୋଲିସ ଓ ଅଭିଯୋଗକାରୀଙ୍କ ଉପରକୁ ପଥର ଓ କାଚ ବୋତଲ ଫିଙ୍ଗିଥିଲେ। 

ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ, ପ୍ରତିଆକ୍ରମଣ କରିବା ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ। ସେହି ସମୟରେ ଅଭିଯୁକ୍ତମାନେ ରାସ୍ତାରେ ଯାଉଥିବା ବାଇକ୍‌ ଓ ଚାରିଚକିଆ ଯାନକୁ ଅଟକାଇ ଲୋକଙ୍କୁ ଆକ୍ରମଣ କରିଥିଲେ। ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆକମଣରୁ ବର୍ତ୍ତି ନଥିଲେ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲେଶ୍ଵର ଏସପି ସାଗରିକା ନାଥଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଏହି ହିଂସାକୁ ଶାନ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା। ସମଗ୍ର ଅଞ୍ଚଳରେ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଲାଗୁ କରାଯାଇଥିଲା।

ତେବେ ପୋଲିସର ବନ୍ଦୋବସ୍ତ ସତ୍ତ୍ୱେ ସୋମବାର ବିଳମ୍ବିତ ରାତିରେ ବାଲେଶ୍ଵରର ଗୋଳାପୋଖରୀ, ମୋତିଗଞ୍ଜ, ସିନେମା ଛକ ଅଞ୍ଚଳକୁ ସଂଘର୍ଷ ବ୍ୟାପିଥିଲା। ଗଣ୍ଡ‌ଗୋଳକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ପଥର ମାଡ଼ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏବେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ସହରବ୍ୟାପି କର୍ଫ୍ୟୁ ଜାରି ହୋଇଛି। ସହରର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଥିବା ବେଳେ ଅଧିକାଂଶ ଅଞ୍ଚଳରେ ସଶସ୍ତ୍ର ଫୋର୍ସ ମୁତୟନ ହୋଇଛନ୍ତି।

Tags: #GroupClash #People #Curfew #Community #Baleswar #Odisha

LEAVE A REPLY

Please enter your comment!
Please enter your name here