ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁନୁଷପଦରରୁ ଆରମ୍ଭ ହୋଇଥିବା ଡିପଥେରିଆ ଏବେ ସଂକ୍ରମଣର ରୂପ ନେଉଛି। ଏବେ ଏହା କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଥିବାରୁ ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।
ଡିପଥେରିଆ ସଂକ୍ରମଣ ଉପରେ ବ୍ରେକ ଲଗାଇବାକୁ ବୁଧବାରଠାରୁ କାଶୀପୁର ବ୍ଲକରେ ବୁଷ୍ଟର ଡୋଜ ଟିକାକରଣ କରାଯିବ। ଏକ ବର୍ଷରୁ କମ ବୟସରୁ ଶିଶୁଙ୍କୁ ପେଣ୍ଟା ଡୋଜ ଏବଂ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଦିଆଯିବ। ଏହା ସହ ଆକ୍ରାନ୍ତଙ୍କ ଜିନମ ସିକ୍ୟୁଏନ୍ସିଂ ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
କାଶୀପୁର ବ୍ଲକ ମୁନୁଷପଦରର କିଛି ଶିଶୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆକ୍ରାନ୍ତ ଶିଶୁଙ୍କ ମଧ୍ୟରେ ପ୍ରାୟ ୫ ଜଣ ପ୍ରାଣ ହରାଇବା ପରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ଲକ୍ଷଣକୁ ଦେଖି ଏହା ଡିପଥେରିଆ ବୋଲି ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା।
ରାୟଗଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିବା ଡିପଥେରିଆ ଧୀରେ ଧୀରେ ଅନ୍ୟ ଜିଲ୍ଲାମାନଙ୍କୁ ମାଡ଼ିଗଲାଣି। ତେବେ ଡିପଥେରିଆକୁ ନେଇ ଭୟଭୀନ ନହେବା ଲାଗି ପରାମର୍ଶ ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
ସଂକ୍ରମଣ ରୋକିବାକୁ କାଶୀପୁରରେ ଆଜିଠାରୁ ବୁଷ୍ଟର ଜୋଡ ଟିକାକରଣ ଆରମ୍ଭ ହେବ। ବାୟୁ ଦ୍ଵାରା ଏହି ସଂକ୍ରମଣ ବ୍ୟାପୁଥିବାରୁ ସଂକ୍ରମିତ ଅଞ୍ଚଳର ଲୋକଙ୍କୁ ମାସ୍କ ବ୍ୟବହାର କରିବା ଏବଂ ହାତ ଧୋଇବାକୁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।
ବର୍ତ୍ତମାନ ସୁଦ୍ଧା ୨୧ ଜଣ ଡିପଥେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ କାଶୀପୁର ବ୍ଲକରୁ ୧୫ ଜଣ ଚିହ୍ନ ହୋଇଥିବାବେଳେ ସୋମବାର ଦିନ କୋରାପୁଟ ଜିଲ୍ଲା ବନ୍ଧୁଗାଁରୁ ଜଣେ ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରୁ ପ୍ରାୟ ୫ ଜଣ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ରାୟଗଡ଼ା ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତ ଜିଲ୍ଲାରେ ସଚେତନ କରାଯାଉଥିବାବେଳେ ସ୍ଵାସ୍ଥ୍ୟ ବିଭାଗ ଓ ଡବ୍ଲ୍ୟୁଏଚଓ ଟିମ୍ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
Tags: #Diphtheria #Disease #Raygada #Kashipur #Odisha #Infection #Treatment


















