ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଓଡ଼ିଶାରେ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି। ଏହା ଫଳରେ ରାଜ୍ୟର ବିଭିନ ସ୍ଥାନରେ ବର୍ଷା ହେବାର ଦେଖିବାକୁ ମିଳୁଛି। ଜୁନ୍ ୨୩ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପାଇଁ ରାଜ୍ୟର ୧୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ମୌସୁମୀ ବାୟୁ ଏବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାକୁ ଛୁଇଁଛି। ଏହି ସବୁ ଜିଲ୍ଲାରେ ଗୁରୁବାର ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ଲଘୁଚାପ ଆସିବାକୁ ଥିବାରୁ ଜୁନ୍ ୨୪ ତାରିଖ ବେଳକୁ ଓଡ଼ିଶାରେ ମୌସୁମୀ ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି ଆକଳନ କରାଯାଇଛି।
ତେବେ ରାଜ୍ୟରେ ମୌସୁମୀ ସକ୍ରିୟ ହେବାନେଇ ପାଗ ଅନୁକୂଳ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବର୍ଷା ଫଳରେ ରାଜ୍ୟବାସୀଙ୍କୁ ଖରା ଓ ଗୁଳୁଗୁଳିରୁ ଆଶ୍ଵସ୍ତି ମିଳିବାର ସମ୍ଭାବନା ରହିଛି।
ଜୁନ୍ ୮ ତାରିଖରେ ମୌସୁମୀ ବାୟୁ ମାଲକାନଗିରିରେ ପହଞ୍ଚିଥିଲା। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇଥିଲା। ହେଲେ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମଲହରୀ ଜାରି ରହିଥିଲା।
Tags: #Weather #Monsoon #Rainfall #MCBBSR #Odisha

















