ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତା ଜୁଲାଇ ୮ ତାରିଖରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ବୁଧବାର ସନ୍ଧ୍ୟାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। କେବେ ରତ୍ନଭଣ୍ଡାର ଖୋଲାଯିବ ସେ ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜଣେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସଆଇ) ଅଧିକାରୀ ରତ୍ନଭଣ୍ଡାର ଖୋଲାଯିବା ନେଇ ବିଭ୍ରାନ୍ତିକର ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇବ।

ମହାପ୍ରଭୁଙ୍କ ରଥଯାତ୍ରାର ପରଦିନ ଅର୍ଥାତ ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି ବୁଧବାର ମଧ୍ୟାହ୍ନରେ ସୂଚନା ଦେଇଥିଲେ ଏଏସଆଇ ସୁପରିଟେଡେଣ୍ଟ ଡି ବି ଗଡ଼ନାୟକ।

ସେ କହିଥିଲେ ରତ୍ନଭଣ୍ଡାର ଖୋଲିବା ସମୟରେ ଏଏସଆଇର ସ୍ୱତନ୍ତ୍ର ଟିମ୍‌ ଓ ଟେକ୍ନିକାଲ ଟିମ୍‌ ଉପସ୍ଥିତ ରହିବେ। ସେମାନେ ରତ୍ନଭଣ୍ଡାରର ଯାଞ୍ଚ କରିବେ। ଏହାପରେ ଅନୁଧ୍ୟାନ କରାଯାଇ ଏଥିରେ ଆବଶ୍ୟକୀୟ ମରାମତି କାର୍ଯ୍ୟ କରାଯିବ।

ରତ୍ନଭଣ୍ଡାର ଖୋଲାଯିବା ତାରିଖ ଘୋଷଣା ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଥିଲେ ବର୍ତ୍ତମାନ ସୁଦ୍ଧା ରତ୍ନଭଣ୍ଡାର ଖୋଲାଯିବା ନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

Tags: #SriMandir #Ratnabhandar #ASI #Puri #Odisha #PrithivirajHarichandan

LEAVE A REPLY

Please enter your comment!
Please enter your name here