ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସମୀକ୍ଷା କରିଛନ୍ତି। ଏନେଇ ରାଜ୍ୟ ଅତିଥି ଭବନରେ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏଠାରେ ସେମାନେ ବିଭାଗୀୟ କାର୍ଯ୍ୟାବଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ଏହି ବୈଠକରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ କଲ୍ୟାଣକାରୀ ଯୋଜନାଗୁଡ଼ିକ ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ। ଏହାସହ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଅନ୍ୟପଟେ ବିଭାଗରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀଗୁଡ଼ିକ ପୂରଣ ସମେତ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ନିଆଯାଉଥିବା ପଦକ୍ଷେପ, ବଜେଟ ବ୍ୟବସ୍ଥା, ଜିଲ୍ଲାସ୍ତରୀୟ କାର୍ଯ୍ୟଳୟକୁ ଅଧିକ ସୁଦୃଢ଼ କରିବା, ସାମାଜିକ ଗଣମାଧ୍ୟମ ତଥା ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଏଠାରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁରବିର ସିଂହ, ଅର୍ଥ ପରାମର୍ଶଦାତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Tags: #MohanCharanMajhi #CMofOdisha #IPRDept #Odisha

Comment