ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଜୁନ୍ ୨୧ ତାରିଖରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଭୁବବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ୟ ନେତା ଓ ସାଧାରଣ ଲୋକଙ୍କ ଗହଣରେ ଯୋଗ କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

“ସୁସ୍ଥ ଜୀବନ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଅତି ଗୁରୁତ୍ୱପୂର୍ଣ୍ଣ। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଯୋଗ କରିବା ବହୁତ ଜରୁରୀ। ଯୋଗ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ”, କହିଛନ୍ତି ମୋହନ ଚରଣ ମାଝୀ।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟବ୍ୟାପି କାର୍ଯ୍ୟକ୍ରମର ଆୟୋଜନ ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ତଥା ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଭୁବନେଶ୍ୱର ନୟାପଲ୍ଲୀର କସ୍ତୁରବା ସ୍କୁଲ ପଡ଼ିଆ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର କୋଣାର୍କରେ ହୋଇଥିବା ଉତ୍ସବରେ ସାମିଲ ହୋଇଥିଲେ।

Tags: #InternationalYogaDay #Yoga #HealthyLife #Odisha #India

Comment