ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ବଳଦେବଜୀଉ ମହିଳା କୃଷକ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ଵାରା ଉତ୍ପାଦିତ ଆମ୍ବ ଦୁବାଇକୁ ରପ୍ତାନି ହୋଇଛି। ଅନ୍ତର୍ଜାତୀୟ ସଂସ୍ଥା ଗ୍ରାଣ୍ଟ ଥର୍ନଟନର ସହାୟତାରେ ମହିଳା କୃଷକ ଉତ୍ପାଦକମାନେ ସେମାନଙ୍କ ଉତ୍ପାଦିତ ୨ କ୍ୱିଣ୍ଟାଲ୍ ଆମ୍ରପାଲି ଆମ୍ବ ରପ୍ତାନି କରିଛନ୍ତି। ବୁଧବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରର ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରୁ ଏହା ସିଧାସଳଖ ଦୁବାଇକୁ ରପ୍ତାନି କରାଯାଇଥିଲା।

ଗ୍ରାଣ୍ଟ ଥର୍ନଟନ ଭାରତ ଏଲଏଲପି ପକ୍ଷରୁ ବଳଦେବଜୀଉ ମହିଳା କୃଷକ ଉତ୍ପାଦକ ଗୋଷ୍ଠୀକୁ ଆମ୍ବ ଉତ୍ପାଦନ ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ଓ ବୈଷୟିକ ସହାୟତା ଦିଆଯାଇଥିଲା। ଉକ୍ତ ଉତ୍ପାଦକ ଗୋଷ୍ଠୀକୁ ବ୍ୟାଙ୍କରୁ ଋଣ ନେବା ଦିଗରେ ସହଯୋଗ କରାଯାଇଥିଲା। ଶେଷରେ ସେମାନଙ୍କ ଉତ୍ପାଦିତ ଆମ୍ରପାଲି ଆମ୍ବ ଏବେ ଦୁବାଇ ବଜାରରେ ପହଞ୍ଚିବ।

“ଓଡ଼ିଶାର ମହିଳା କୃଷି ଉତ୍ପାଦକ ଗୋଷ୍ଠୀଙ୍କ ଦ୍ଵାରା ଉତ୍ପାଦିତ ଆମ୍ବ ବିଦେଶକୁ ରପ୍ତାନି ହେବା ସେମାନଙ୍କ ମନୋବଳକୁ ବଢ଼ାଇବ। ସେମାନେ ସିଧାସଳଖ ନିଜ ଉତ୍ପାଦ ବ୍ୟବସାୟ ଓ ରପ୍ତାନି କରିବା ଦ୍ଵାରା ଅଧିକ ଲାଭ ପାଇପାରିବେ। ଗ୍ରାଣ୍ଟ ଥର୍ନଟନ ପକ୍ଷରୁ ଆମେ ଆରମ୍ଭରୁ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇଥିଲୁ। ଓଡ଼ିଶାର ୧ ଲକ୍ଷରୁ ଅଧିକ ମହିଳା କୃଷି ଉତ୍ପାଦକଙ୍କୁ ଜୀବିକା ପ୍ରଦାନ କରି ସେମାନଙ୍କ ଆୟ ବଢ଼ାଇବା ପାଇଁ ଆମେ ଲକ୍ଷ୍ୟ ରଖିଛୁ”, କହିଛନ୍ତି ଗ୍ରାଣ୍ଟ ଥର୍ନଟନର ଓଡ଼ିଶା ମୁଖ୍ୟ ସମ୍ବିତ ସାସମଲ।

ଗ୍ରାଣ୍ଟ ଥର୍ନଟନ ପକ୍ଷରୁ ୨୦୨୨ ମସିହାରୁ ନିଜର ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ମହିଳା କୃଷି ଉତ୍ପାଦକ ଗୋଷ୍ଠୀଙ୍କୁ ହାଣ୍ଡ ହୋଲଲ୍ଡିଂ ଦିଆଯାଉଛି। ଏବେ ରାଜ୍ୟର ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ନୟାଗଡ଼ ଓ କୋରାପୁଟ ଭଳି ୫ଟି ଜିଲ୍ଲାର ମୋଟ୍ ୩୩ଟି କୃଷି ଉତ୍ପାଦକ ଗୋଷ୍ଠୀ ସଂସ୍ଥା ସହିତ ଯୋଡ଼ି ହୋଇଛନ୍ତି। ସେଥିରୁ ୧୯ଟି ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ଵାରା ପରିଚାଳିତ। ପ୍ରାୟ ୧୫ ହଜାରରୁ ଅଧିକ ମହିଳା ଚାଷୀ ଏଥିରୁ ପ୍ରତ୍ୟକ୍ଷ ଭାବେ ଲାଭବାନ ହେଉଛନ୍ତି।

ଉକ୍ତ ସଂସ୍ଥା ପକ୍ଷରୁ ନିର୍ଦ୍ଧିଷ୍ଟ ଅଞ୍ଚଳର ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କୁ ଏକାଠି କରି ମିଳିତ ଭାବେ ବିଭିନ୍ନ ଫସଲ ଉତ୍ପାଦନ କରିବା ଉପରେ ଗୁରୁତ୍ଵ ଦିଆଯାଉଛି। ଏଠାରେ ସେମାନଙ୍କୁ ଫସଲର ବିବିଧିକରଣ ତଥା ବିଭିନ୍ନ ଅର୍ଥକାରୀ ଫସଲ ଉତ୍ପାଦନ କରିବା ଦିଗରେ ଉତ୍ସାହିତ କରାଯାଉଛି।

ଗ୍ରାଣ୍ଟ ଥର୍ନଟନ ସଂସ୍ଥା ପକ୍ଷରୁ ଏବେ ଧାନ ଭଳି ପାରମ୍ପରିକ ଚାଷ ସହ ବାଦାମ, ହଳଦୀ, ଆମ୍ବ, ତରଭୁଜ ତଥା ଫୁଲଚାଷ ଆଦି ବିଭିନ୍ନ ଅର୍ଥକାରୀ ଫସଲ କ୍ଷେତ୍ରରେ ଉତ୍ପାଦକ ଗୋଷ୍ଠୀମାନଙ୍କ ସହାୟତା ପ୍ରଦାନ କରାଯାଉଛି। ଏଥିରେ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କୁ ଚାଷ କରିବା ପାଇଁ ଆବଶ୍ୟକୀୟ ବୈଷୟିକ ଜ୍ଞାନ କୌଶଳ ତଥା ଯନ୍ତ୍ରପାତିର ବ୍ୟବସ୍ଥା କରାଯାଉଛି।  

ସେହିପରି ପ୍ରତ୍ୟେକ ଉତ୍ପାଦକ ଗୋଷ୍ଠୀ ଦ୍ଵାରା ଉତ୍ପାଦିତ ଫସଲକୁ ଗ୍ରାଣ୍ଟ ଥର୍ନଟନ ସଂସ୍ଥାର ସହାୟତାରେ ବଜାରରେ ବିକ୍ରି କରିବା ତଥା ରପ୍ତାନି କରାଯାଉଛି। ଏହାଦ୍ଵାରା ସମ୍ପୃକ୍ତ ଉତ୍ପାଦକ ଗୋଷ୍ଠୀକୁ ଅଧିକ ଲାଭ ମିଳିପାରୁଛି। ଏହାସହ ବିଭିନ୍ନ କୃଷି ଜାତୀୟ ଦ୍ରବ୍ୟର ବ୍ୟବସାୟ କରିବା ପାଇଁ ମହିଳା ଉତ୍ପାଦକ ଗୋଷ୍ଠୀଙ୍କୁ ସଂସ୍ଥା ପକ୍ଷରୁ ସହଯୋଗ ମିଳୁଛି।  

ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟର କୃଷି ଉତ୍ପାଦକ ଗୋଷ୍ଠୀଙ୍କ ଉତ୍ପାଦ ଓ ବ୍ୟବସାୟ ବଢ଼ାଇବା ପାଇଁ ଏକଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଖାସକରି ମହିଳାଙ୍କ ଦ୍ଵାରା ପରିଚାଳିତ ଉତ୍ପାଦକ ଗୋଷ୍ଠୀମାନେ ଉତ୍ପାଦନ କରୁଥିବା ବିଭିନ୍ନ ଉତ୍ପାଦର କିଭଳି ବ୍ରାଣ୍ଡିଂ ଓ ବଜାର ସଂଯୋଗ କରାଯିବ, ସେ ଦିଗରେ ଏକଧିକ ଅନ୍ତର୍ଜାତୀୟ ସଂସ୍ଥାଙ୍କ ସହାୟତା ନିଆଯାଉଛି।

Tags: #WomenFarmerProducerGroups #MangoExport #Dubai #GrantThornton #Dhenkanal #Odisha    

LEAVE A REPLY

Please enter your comment!
Please enter your name here