ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୩୬ ମସିହା ପର୍ଯ୍ୟନ୍ତ ଭାରତୀୟ ଜାତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହିବ ଓଡ଼ିଶା। ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଦଳର ପ୍ରାୟୋଜକ ଅବଧିକୁ ୨୦୩୩ରୁ ଆଉ ୩ ବର୍ଷ ପାଇଁ ବୃଦ୍ଧି କରାଯିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ଶୁକ୍ରବାର ଅପରାହ୍ଣରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂହ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏଠାରେ ଭାରତୀୟ ହକି ଦଳ ପାଇଁ ପ୍ରାୟୋଜକ ଅବଧି ବଢ଼ାଇବା ତଥା ଦଳର ଅନ୍ୟାନ୍ୟ ଆଭିମୁଖ୍ୟ ବିଷୟରେ ଆଲୋଚନା କରାଯାଇଥିଲ।

“ହକି ଓଡ଼ିଶାକୁ ବିଶ୍ଵସ୍ତରରେ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି। ୨୦୩୬ ମସିହାରେ ଓଡ଼ିଶା ନିଜର ସ୍ଵତନ୍ତ୍ର ପ୍ରଦେଶ ହେବାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ। ଏଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ସ୍ପନସର କରିବା ଅବଧିକୁ ୨୦୩୩ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି କରାଯିବ। ଏହାସହ ଭାରତରେ ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସହଯୋଗ ଯୋଗାଇଦିଆଯିବ”, କହିଛନ୍ତି ମୋହନ ଚରଣ ମାଝୀ।

ସେହିପରି ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି ବୋଲି ଦିଲ୍ଲୀପ ତିର୍କୀ ଓ ଭୋଳାନାଥ ସିଂହ କହିଥିଲେ। ଭବିଷ୍ୟତରେ ଓଡ଼ିଶା ସରକାରଙ୍କ ସହ ମିଶି ହକିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ଲାଗି ମିଳିମିଶି କାମ କରିବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଥିଲେ।

ଏହି ବୈଠକରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ତଥା ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ଆର୍ ଭିନିଲକ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

୨୦୧୮ ମସିହାରେ ‘ସାହାର ଇଣ୍ଡିଆ’ ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓହରି ଯିବାପରେ ଭାରତୀୟ ହକି ପାଇଁ ସଂକଟ ସୃଷ୍ଟି ହୋଇଥିଲା। ଏହି ସମୟରେ ଓଡ଼ିଶା ସରକାର ଭାରତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ହେବାକୁ ନିଷ୍ପତ୍ତି ନେଇଥିଲେ।

ଓଡ଼ିଶା ୫ ବର୍ଷ ଯାଏଁ ଅର୍ଥାତ ୨୦୨୩ ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ହେବ ବୋଲି ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ହକି ଇଣ୍ଡିଆ ସହ ଚୁକ୍ତି ହୋଇଥିଲା। ଓଏମସି ହକି ଇଣ୍ଡିଆ ସହ ୧୫୦ କୋଟି ଟଙ୍କାରେ ଏହି ଚୁକ୍ତି କରିଥିଲା।

ଏହାପରେ ୨୦୨୩ ମସିହା ଏପ୍ରିଲ ୨୪ ତାରିଖରେ ଆଉ ୧୦ ବର୍ଷ ଯାଏଁ ଅର୍ଥାତ ୨୦୩୩ ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ ଓଡ଼ିଶା ସରକାର। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏଥିପାଇଁ ୪୩୪ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା।  

Tags: #OdishaGovt #Sponsorship #IndianHockeyTeam #Sports #HockeyIndia

LEAVE A REPLY

Please enter your comment!
Please enter your name here