ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି, ଶନିବାର ଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏହି ସମୟରେ ଭିଡ଼ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୁରୀ ପୋଲିସ ପକ୍ଷରୁ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି।

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ସ୍ନାନଯାତ୍ରା ଲାଗି ନିୟୋଜିତ ହେବେ ମୋଟ ୬୮ ପ୍ଲାଟୁନ ପୋଲିସ ଫୋର୍ସ। ସୁରକ୍ଷା ଦାୟିତ୍ଵରେ ରହିବେ ୪ ଜଣ ଏସପି ରାଙ୍କର ଅଧିକାରୀ, ୨ ଜଣ ଅତିରିକ୍ତ ଏସପି, ୨୨ ଜଣ ଡିଏସପି, ୨୯୦ରୁ ଅଧିକ ସବଇନ୍ସପେକ୍ଟର। ଏହି ଅବସରରେ ଜରୁରୀକାଳିନ ସହାୟତା ପାଇଁ ୧୧୨ ନମ୍ବର ଜାରି କରାଯାଇଛି।

ଜାଣନ୍ତୁ ମନ୍ଦିର ଭିତରକୁ କେମିତି ଯିବେ ଭକ୍ତ

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭକ୍ତମାନଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭକ୍ତମାନେ କେବଳ ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଅନ୍ୟ ତିନିଦ୍ଵାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ଵାର ଦେଇ ପ୍ରସ୍ଥାନ କରିବେ।

ବଡ଼ଦାଣ୍ଡ ନିକଟରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ।

ସେହିପରି ଭକ୍ତମାନେ ବଡ଼ଦାଣ୍ଡସ୍ଥିତ ବ୍ୟାରିକେଡ ଭିତର ଦେଇ ଶ୍ରୀକୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଗରେ ଆସିବେ ଏବଂ ଏସଜେଆରସିଠାରେ ପ‌ହଞ୍ଚି ଏସଜେଆରସି ଡୋର ଫ୍ରେମ ମେଟାଲ ଡିଟେକ୍ଟର ଯାଞ୍ଚ କରାଇ ଦୋଳବେଦୀ କୋଣଠାରେ ଥିବା ଷ୍ଟିଲ୍ ବ୍ୟାରିକେଡକୁ ପ୍ରବେଶ କରିବେ।

କେମିତି ଯିବେ ଟିକେଟଧାରୀ ଭକ୍ତ?

ଟିକେଟଧାରୀ ଭକ୍ତମାନେ ପହଣ୍ଡି ଦର୍ଶନ ଲାଗି ପ୍ରାତଃ ସମୟରେ ଧାଡ଼ିରେ ଦକ୍ଷିଣ ଦ୍ଵାରରେ ଥିବା ବ୍ୟାରିକେଶ ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ।

ଶ୍ରୀମନ୍ଦିର ଆସୁଥିବା ଭକ୍ତ କେଉଁଠି ରଖିବେ ଗାଡ଼ି?

ଶନିବାର ଦିନ ଦେବସ୍ନାନ ପୂର୍ଣ୍ଣିମା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ପୁରୀ ଆସିବେ। ଏହି ସମୟରେ ଭକ୍ତମାନେ କେଉଁଠି ନିଜ ଗାଡ଼ି ରଖିବେ ଏବଂ କେମିତି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ ସେ ନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି।

ଭୁବନେଶ୍ଵର ଏବଂ କୋଣାର୍କ ଆଡ଼ୁ ଆସୁଥିବା ଯାତ୍ରୀବାହୀ ବସଗୁଡ଼ିକ ମ୍ୟୁନିସିପାଲିଟି ବସ ଷ୍ଟାଣ୍ଡରେ ପ୍ରବେଶ କରିପାରିବେ।

ପୁରୀ ଟାଉନ ସଟଲ ବସ ଏବଂ ଅଟୋ ରିକ୍ସାକୁ ବଡ଼ଦାଣ୍ଡରେ ମେଡିକାଲ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଛି।

ଭୁବନେଶ୍ଵରରୁ ଆସୁଥିବା ବାଇକ ଏବଂ ଛୋଟ ଗାଡ଼ି ହରେକୃଷ୍ଣପୁର ଛକଠାରୁ ଶ୍ରୀସେତୁ ଆଡ଼କୁ ଯିବେ। ଜଗନ୍ନାଥବଲ୍ଲଭ ପାର୍କିଂ ଏବଂ ଜେଲ ରୋଡ ପାର୍କିଂରେ ଗାଡ଼ି ରଖିବେ।

ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ିଗୁଡ଼ିକ ମଙ୍ଗଳାଘାଟ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକାରେ ପାର୍କିଂ କରିପାରିବେ।

ସେହିପରି କୋଣାର୍କ ପଟୁ ଆସୁଥିବା ଗାଡ଼ି ଗ୍ରିଡ ଷ୍ଟେସନ ଛକଠାରୁ ବ୍ଲୁ ଫ୍ଲାଗୁ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକାରେ ପାର୍କିଂ କରିବେ।

ମେଡିକାଲ ଛକଠାରୁ ନାୟକ ପ୍ଲାଜା ପର୍ଯ୍ୟନ୍ତ ବାଇକଗୁଡ଼ିକୁ ବଡ଼ଦାଣ୍ଡର ପୂର୍ବ ପାର୍ଶ୍ଵରେ ପାର୍କିଂ ପାଇଁ ଅନୁମତି ମିଳିବ। ବାଇକ ପାର୍କିଂ ସ୍ଥାନ ପୂରଣ ହୋଇଯିବା ପରେ ଅନ୍ୟ ବାଇକ ଚାଳକମାନେ ଜେଲ ରୋଡ ଏବଂ ସରଧାବାଲି ନିକଟରେ ନିଜ ଗାଡ଼ି ରଖିପାରିବେ।

ମାର୍କେଟ ଛକଠାରୁ ଜଗା ବଳିଆ ଲଜ୍ ଏବଂ ମନ୍ଦିର ପରିସରରେ କୌଣସି ଯାନବାହନ ରଖିବା ଉପରେ କଟକଣା ଜାରି କରାଯାଇଛି। ମାର୍କେଟ ଛକଠାରୁ କେବଳ ପାସ ଥିବା ଗାଡ଼ିଗୁଡ଼ିକୁ ଆଗକୁ ଯିବା ଲାଗି ଅନୁମତି ମିଳିବ।

ଯାନବାହନ ଚଳାଚଳ ପାଇଁ ଏହି ନିୟମ ଜୁନ ୨୧ ତାରିଖ ରାତି ୧୦ଟାରୁ ଦେବସ୍ନାନ ପୂର୍ଣ୍ଣିମା ଶେଷ ହେବା ପର୍ଯ୍ୟନ୍ତ ଲାଗୁ ହେବ।

Tags: #DebasnanaPurnima #Puri #ShreeMandir #SecurityArrangement #Odisha #Tradition

LEAVE A REPLY

Please enter your comment!
Please enter your name here