ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବା ସହ ତାତିରୁ ଆଶ୍ଵସ୍ତି ମିଳିଛି। ରବିବାର ସୁଦ୍ଧା ସାରା ରାଜ୍ୟରେ ମୌସୁମୀ ଅଧିକ ସକ୍ରିୟ ହୋଇ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଶନିବାର ବର୍ଷା ପାଇଁ ରାଜ୍ୟର ୧୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସାମିଲ ରହିଛି।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ସର୍ବାଧିକ ୧୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି କଳାହାଣ୍ଡିର ରାମପୁରରେ ୧୦୨ ମିଲିମିଟର, କଟକର ମାହାଙ୍ଗାରେ ୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ତେବେ ବଙ୍ଗୋପସାଗରରେ ଲଘୁଚାପ ଆସିବାକୁ ଥିବାରୁ ଜୁନ୍ ୨୪ ତାରିଖ ବେଳକୁ ଓଡ଼ିଶାରେ ମୌସୁମୀ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି।

Tags: #Weather #Monsoon #Rainfall #MCBBSR #Odisha

LEAVE A REPLY

Please enter your comment!
Please enter your name here