ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି। ଚଳିତ ବର୍ଷ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଗତ ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଅନୁଯାୟୀ ଚଳିତ ଥର ରଥଯାତ୍ରା କରିବାକୁ ସୋମବାର ଦିନ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।
ଜୁଲାଇ ୭ ତାରିଖ ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବ ଦିନ ଅର୍ଥତ ଜୁଲାଇ ୬ ତାରିଖରେ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ। ଏହା ପରେ ତିନି ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଜୁଲାଇ ୭ ତାରିଖ ମଧ୍ୟାହ୍ନ ୧ଟା ୧୦ରେ ପହଣ୍ଡି ଆରମ୍ଭ ହେବ ଓ ସାଢ଼େ ୨ଟାରେ ପହଣ୍ଡି ସରିବ। ଏହା ପରେ ଅପରାହ୍ଣ ୪ଟାରେ ଗଜତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା ନୀତି କରିବେ। ୪ଟା ୩୦ରେ ଚାର ଫିଟା ଓ ଘୋଡ଼ା ସାରଥୀ ଲାଗିବା ପରେ ୫ଟାରେ ରଥଟଣା ଆରମ୍ଭ ହେବ।
ଶ୍ରୀଗୁଣ୍ଡିଚା ପୂର୍ବ ରାତି ୨ଟାରେ ମଙ୍ଗଳ ଆଳତୀ ନୀତି ଅନୁଷ୍ଠିତ ହେବ। ରାତି ୨ଟା ୧୦ରେ ମଇଲମ ନୀତି, ୨ଟା ୩୦ରେ ଅବକାଶ ନୀତି, ୨ଟା ୪୦ରେ ଦଶ ଅବତାର ଠାକୁର ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବା ପରେ ରାତି ୩ଟାରେ ତାଟି ଫିଟିବା ନୀତି, ୩ଟା ୩୦ରେ ଧୂଆଧୋଇ ହୋଇ ଚୂନ ପଡ଼ିବା ନୀତି ହେବ, ୩ଟା ୪୫ରେ ବନ୍ଦାପନା, ୪ଟାରେ ନେତ୍ରୋତ୍ସବ ବନ୍ଦାପନା ନୀତି ଅନୁଷ୍ଠିତ ହେବ।
ଜୁଲାଇ ୭ ତାରିଖ ପ୍ରାତଃ ୪ଟାରେ ରୋଷ ହୋମ ନୀତି ଅନୁଷ୍ଠିତ ହେବ, ଏହା ପରେ ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବେଶ ଶେଷ ନୀତି ଅନୁଷ୍ଠିତ ହେବା ପରେ ସକାଳ ୬ଟାରୁ ୭ଟା ଗୋପାଳ ବଲ୍ଲଭ ଓ ଘଣ୍ଟ ଛତା ସକାଳଧୂପ ଅନୁଷ୍ଠିତ ହେବ। ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ସେହିପରି ଦିନ ୧୧ଟାରେ ରଥ ପ୍ରତିଷ୍ଠା, ଦିନ ୧ଟାରେ ମଙ୍ଗଳାର୍ପଣ ନୀତି ପର ଦିନ ୧ଟା୧୦ରେ ପହଣ୍ଡି ଆରମ୍ଭ ହେବ।
Tags: #RathYatra #ShreeGundicha #Chhattisanijog meeting #Tradition #Puri #Odisha #ShreeJagannath