ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ୧୯୭୫ ମସିହାରେ ଜୁନ୍ ୨୫ ତାରିଖରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି ୪୯ ବର୍ଷ ପୂରିଛି। ଏହାକୁ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ କଳା ଅଧ୍ୟାୟ ବୋଲି ବିବେଚନା କରାଯାଏ। ଏଥିରେ ଦେଶର ନାଗରିକଙ୍କ ସମେତ ବିରୋଧୀ ଦଳର ନେତା ଓ ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲ୍ଲୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।   

ଜରୁରୀକାଳୀନ ପରିସ୍ଥିତି ପଛର ଘଟଣାକ୍ରମ 

୧୯୭୫ ମସିହାରେ ମେ’ ଶେଷ ସୁଦ୍ଧା ଭାରତରେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଥିଲା। ପାଣିପାଗ ପୂରା ଥଣ୍ଡା ପଡ଼ିଯାଇଥିଲା। ଚାଷବାସର ଚର୍ଚ୍ଚା ହେଉଥିଲା, ସାର ସଙ୍କଟ ବି ଚର୍ଚ୍ଚାରେ ଥିଲା। ହେଲେ ଠିକ୍ ସେତିକି ବେଳେ ରାଜନୈତିକ ପାଣିପାଗକୁ ଗରମ କରିଦେବା ପାଇଁ ଏକ ଖବର ନ୍ୟାୟପାଳିକା ଭିତରେ ଶକ୍ତି ସାଉଁଟୁଥିଲା।

ସେହିବର୍ଷ ଜୁନ୍ ୧୨ ତାରିଖ, ଆସିଲା ଏକ ବଡ଼ ଖବର, ଯାହା ଭାରତୀୟ ରାଜନୀତିକୁ ଦୋହଲାଇ ଦେଇଥିଲା। ଆଲହାବାଦ ହାଇକୋର୍ଟ ରାୟ ଦେଲେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହୋଇଛି। ସେ ଆଗାମୀ ୬ ବର୍ଷ ଯାଏଁ ନିର୍ବାଚନ ଲଢ଼ିପାରିବେନି।

ଏହି ଖବର ବିଜୁଳି ବେଗରେ ପ୍ରଚାରିତ ହେଲା। ହଠାତ୍ ପାଣିପାଗ ପୂରା ଗରମ ହୋଇଗଲା। ଏହାର ୧୩ ଦିନ ପରେ ଅର୍ଥାତ ଜୁନ୍ ୨୫ ତାରିଖରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ରାଜନୀତିରେ ଯଦି କାଳାନ୍ତର ଥାଏ, ତେବେ ଏମର୍ଜେନ୍ସି ବା ଜରୁରୀକାଳୀନ ପରିସ୍ଥିତି ଗୋଟେ ସନ୍ଧିକାଳ ଥିଲା। ଯନ୍ତ୍ରଣାଦାୟକ ଥିଲା ଏହି ସ୍ଥିତି। ଇନ୍ଦିରାଙ୍କ ଅନେକ ଭଲ କାମ ତାଙ୍କୁ ଜଣେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଭାବେ ଚିତ୍ରଣ କରୁଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ତାଙ୍କ ଛବିକୁ କଳଙ୍କିତ କରିଥିବା ଅନେକ ମତ ଦିଅନ୍ତି।

୧୯୭୫ ମସିହା ଜୁନ ୧୨ ତାରିଖ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହଲଚଲ ଥିଲା, କିନ୍ତୁ ଥିଲା ଭିନ୍ନ ଏକ ନିରବତା। ଇନ୍ଦିରାଙ୍କ ବରିଷ୍ଠ ସଚିବ କ୍ରିଷ୍ଣା ଆୟାର ଅସ୍ଥିର ହୋଇ ଏପଟ ସେପଟ ହେଉଥାନ୍ତି। ଇନ୍ଦିରାଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲାର ରାୟ ଆସିବାର ଥାଏ। ଏହି ମାମଲା ଥାଏ ଜଷ୍ଟିସ ଜଗମୋହନ ଲାଲ୍ ସିହ୍ନାଙ୍କ କୋର୍ଟରେ। ନିର୍ଭିକ ରାୟ ଶୁଣାଇବାରେ ସିହ୍ନାଙ୍କର ଏକ ସ୍ଵତନ୍ତ୍ର ପରିଚିତି ରହିଥିଲା। ମାମଲାର ଶୁଣାଣି ଘୁଞ୍ଚାଇବା ପାଇଁ ବାରମ୍ବାର ଆବେଦନ ବିଫଳ ହୋଇଥିଲା। ତେଣୁ ସ୍ଵାଭାବିକ ଭାବେ ଗୋଟେ ଅଜବ ବିଚଳିତ ଭାବ ପରିଲକ୍ଷିତ ହେଉଥାଏ ସଚିବ କ୍ରିଷ୍ଣା ଆୟାରଙ୍କ ମୁହଁରେ।

କିଛି ସମୟ ପରେ ଇନ୍ଦିରା ଗାନ୍ଧୀଙ୍କ ପାଖରେ ତାଙ୍କ ଜୀବନର ସବୁଠାରୁ ଖରାପ ଖବର ପହଞ୍ଚିଗଲା। ନିଜେ ରାଜୀବ ଗାନ୍ଧୀ ଏ ଖବର ତାଙ୍କୁ ଜଣାଇଥିଲେ। ଜଷ୍ଟିସ ସିହ୍ନା ଇନ୍ଦିରାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଲୋକପ୍ରତିନିଧି ଆଇନ ଅନୁସାରେ ଇନ୍ଦିରାଙ୍କ ସଦସ୍ୟତା ରଦ୍ଦ କରିଦେବା ସହ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲେ। ବାକି ଅନ୍ୟ ୫ଟି ଅଭିଯୋଗରୁ ଦୋଷମୁକ୍ତ କରିଥିଲେ। ଏହା ସହିତ କୋର୍ଟ ନିଜର ନିଷ୍ପତ୍ତି ଉପରେ ୨୦ ଦିନର ରହିତାଦେଶ ମଧ୍ୟ ଦେଇଥିଲେ। ଯାହା ଫଳରେ ଇନ୍ଦିରାଙ୍କୁ ସୁପ୍ରିମକୋର୍ଟ ଯିବା ପାଇଁ ସମୟ ମିଳିବ ଏବଂ କଂଗ୍ରେସ ବିକଳ୍ପ ପ୍ରଧାନମନ୍ତ୍ରୀଙ୍କ ବ୍ୟବସ୍ଥା କରିବା ପାଇଁ ସମୟ ପାଇବ।

ଇନ୍ଦିରା କିନ୍ତୁ ପ୍ରଧାନମନ୍ତ୍ରୀ ପଦ ଆଉ କାହାକୁ ଦେବାକୁ ଚାହୁଁ ନଥିଲେ। କଂଗ୍ରେସ ଭିତରେ ଏହାକୁ ନେଇ ଜୋରଦାର ଆଲୋଚନା, ପର୍ଯ୍ୟାଲୋଚନା ଚାଲିଥାଏ। ସମସ୍ତଙ୍କ ନଜର ଅଟକି ରହିଥିଲା ଇନ୍ଦିରା ଗାନ୍ଧୀଙ୍କ ପରବର୍ତ୍ତୀ ଘୋଷଣା ଉପରେ।

ଅନ୍ୟପକ୍ଷରେ ବିରୋଧୀ ଦଳ ଇନ୍ଦିରାଙ୍କ ଇସ୍ତଫା ଦାବି ଆରମ୍ଭ କରିଦେଇଥିଲେ। ଇନ୍ଦିରା ମଧ୍ୟ ଇସ୍ତଫା ଦେବାକୁ ଚିନ୍ତା କରୁଥିଲେ। କିନ୍ତୁ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାର ତାଙ୍କ ବହିରେ ଲେଖିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ଏହି ନିଷ୍ପତ୍ତିକୁ ଉଭୟ ରାଜୀବ ଓ ସଞ୍ଜୟ ଗାନ୍ଧୀ ବିରୋଧ କରୁଥିଲେ। ଇନ୍ଦିରାଙ୍କ ସମର୍ଥନରେ ଦିଲ୍ଲୀରେ ଭିଡ଼ ଜମିବାରେ ଲାଗିଥିଲା। ସଞ୍ଜୟ ଗାନ୍ଧୀ ଇନ୍ଦିରାଙ୍କ ସମର୍ଥନରେ ଲୋକଙ୍କୁ ଏକାଠି କରିବାରେ ଲାଗିଥିଲେ।

ଅନ୍ୟ ପଟେ ବିରୋଧୀଙ୍କ ବିରୋଧ ବଢ଼ିବାରେ ଲାଗିଥାଏ। ଆଲହାବାଦ୍ ହାଇକୋର୍ଟ ଦେଇଥିବା ରହିତାଦେଶର ସମୟ ବି ସରିସରି ଆସୁଥାଏ। ସବୁ ବିରୋଧୀ ଦଳ ଏକାଠି ହୋଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଥାନ୍ତି। ଇନ୍ଦିରାଙ୍କ ଉପରେ ଚାପ ବଢ଼ିବାରେ ଲାଗିଥାଏ। ଠିକ୍ ଏହି ସମୟରେ ଅର୍ଥାତ ଜୁନ୍ ୨୫ ତାରିଖରେ ସୁପ୍ରିମକୋର୍ଟଙ୍କ ରାୟ ଇନ୍ଦିରାଙ୍କୁ ଆଶ୍ଵସ୍ତି ଦେଇଥିଲା।

ତଥାପି ବିରୋଧୀଙ୍କ ବିରୋଧ କମିବା ପରିବର୍ତ୍ତେ ବଢ଼ିଥିଲା। ବିରୋଧୀଙ୍କ ନେତୃତ୍ଵ ନେଉଥିଲେ ସୋସିଆଲିଷ୍ଟ ନେତା ଜୟପ୍ରକାଶ ନାରାୟଣ (ଜେପି)। ରାମଲୀଳା ମଇଦାନରେ ଏକ ବଡ଼ ରାଲିରେ ଜେପି ପୋଲିସ ଓ ସେନାକୁ ବି ସତ୍ୟାଗ୍ରହରେ ସାମିଲ ହେବା ପାଇଁ ଆହ୍ଵାନ ଦେଇଥିଲେ। ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆଦେଶର ଅମାନ୍ୟ କରିବାକୁ ଆହ୍ଵାନ ଦେଇଥିଲେ। ଜେପି ସେତେବେଳେ ସର୍ବମାନ୍ୟ ନେତା ଥିଲେ। ତାଙ୍କର ଲୋକପ୍ରିୟତା ଶୀର୍ଷରେ ରହିଥିଲା। ଏଥିପାଇଁ ଇନ୍ଦିରା ଗାନ୍ଧୀ ଆହୁରି ଚାପଗ୍ରସ୍ତ ହୋଇଯାଇଥିଲେ।

ସବୁଆଡୁ ଚାପଗ୍ରସ୍ତ ହୋଇପଡ଼ିଥିବା ଇନ୍ଦିରା ପରାମର୍ଶଦାତାମାନଙ୍କ ପରାମର୍ଶ ଅନୁସାରେ ଜୁନ ୨୫ ତାରିଖ ମଧ୍ୟରାତିରେ ଏମର୍ଜେନ୍ସି ଘୋଷଣା କରିଦେଲେ। ଏମର୍‌ଜେନ୍ସି ଲାଗୁ କରି ତାଙ୍କ ବିରୋଧରେ ସାମ୍ଭାବ୍ୟ ରାଜନୈତିକ ଘଟଣାକ୍ରମକୁ ଟାଳିବାକୁ ଚାହୁଁଥିଲେ ଇନ୍ଦିରା। କିନ୍ତୁ ଏହା ବିରୋଧୀଙ୍କୁ ଆହୁରି ସଂଗଠିତ କରିଥିଲା ଏବଂ ଲୋକଙ୍କୁ ଇନ୍ଦିରା ବିରୋଧୀ କରିଦେଇଥିଲା।

କ’ଣ ଥିଲା ଇନ୍ଦିରାଙ୍କ ବିରୋଧରେ ଅଭିଯୋଗ?

ରାଇବରେଲୀ ଆସନରେ ଇନ୍ଦିରାଙ୍କ ବିରୋଧରେ ପ୍ରାର୍ଥୀ ଥିଲେ ସମାଜବାଦୀ ନେତା ରାଜ ନାରାୟଣ। ଜିତିବା ତାଙ୍କର ନିଶ୍ଚିତ ଥିଲା ବୋଲି ଚର୍ଚ୍ଚା ହେଉଥିଲା। ରାଜ ନାରାୟଣଙ୍କ ରାଜନୈତିକ ବ୍ୟକ୍ତିତ୍ଵ ବି ବେଶ୍‌ ପ୍ରଭାବଶାଳୀ ଥିଲା। କିନ୍ତୁ ସବୁ ଖେଳ ଓଲଟାଇ ଦେଇଥିଲା ଇନ୍ଦିରାଙ୍କ ‘ଗରିବୀ ହଟାଓ’ ନାରା। ଇନ୍ଦିରା ଲକ୍ଷାଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ।

ନିଶ୍ଚିତ ବିଜୟ ପାଇଁ ଶୋଭାଯାତ୍ରା ବି ବାହାର କରି ଦେଇଥିଲେ। ଏହି ପରାଜୟ ତାଙ୍କ ପାଇଁ ଏକଦମ୍ ଅପ୍ରତ୍ୟାଶିତ ଥିଲା। ତେଣୁ ଚୁପ୍ ବସି ନଥିଲେ ରାଜ ନାରାୟଣ। ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ସେ ଆଲହାବାଦ ହାଇକୋର୍ଟରେ ପହଞ୍ଚିଥିଲେ। ଏହି ମାମଲା ଜଷ୍ଟିସ ସିହ୍ନାଙ୍କ କୋର୍ଟରେ ପହଞ୍ଚିଥିଲା।

ଏହି ନିର୍ବାଚନରେ ସରକାରୀ ଅର୍ଥ ଓ କ୍ଷମତାର ଦୁରୂପଯୋଗ କରିଥିବା ନେଇ ରାଜନାରାୟଣ ଅଭିଯୋଗ ଆଣିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅଫିସର ଅନ୍ ସ୍ପେସାଲ ଡ୍ୟୁଟିରେ ଥିବା ୟଶପାଲ୍ କପୁରଙ୍କ ଭୂମିକାକୁ ନେଇ ଅଭିଯୋଗ ଆଣିଥିଲେ ରାଜ ନାରାୟଣ। କୋର୍ଟଙ୍କୁ ସେ ଦେଇଥିବା ପ୍ରମାଣ ଅନୁସାରେ ୧୯୭୧ ମସିହା ଫେବ୍ରୁଆରି ୧୩ ତାରିଖରେ ୟଶପାଲ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାକୁ ୧୪ ତାରିଖରେ ଗ୍ରହଣ କରି ନିଆଯାଇଥିଲା ଓ ୨୫ ତାରିଖରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ପରେ ୟଶପାଲ୍‌ ଇନ୍ଦିରାଙ୍କ ରାଜନୈତିକ ଏଜେଣ୍ଟ ଭାବେ କାମ କରିଥିଲେ। କିନ୍ତୁ ତା’ର ଯଥେଷ୍ଟ ପୂର୍ବରୁ ୟଶପାଲ ଇନ୍ଦିରାଙ୍କ ସଭାରେ ଭାଷଣ ଦେଉଥିବାର ପ୍ରମାଣ ରହିଥିଲା। ସରକାରୀ ଅର୍ଥରେ ଇନ୍ଦିରାଙ୍କ ପାଇଁ ନିର୍ବାଚନ ମଞ୍ଚ, ଲାଇଟ୍, ସାଉଣ୍ଡ ସବୁର ବ୍ୟବସ୍ଥା ହୋଇଥିଲା। ଏଥିରେ ପୋଲିସ ଅଧିକାରୀ ଓ ଉତ୍ତରପ୍ରଦେଶ ଗୃହ ସଚିବ ବି ସହାୟତା କରିଥିଲେ। ଏ ସବୁର ପ୍ରମାଣ ଓ ସାକ୍ଷୀ ସବୁ ଇନ୍ଦିରାଙ୍କ ବିରୋଧରେ ଯାଇଥିଲା।

Tags: #Politics #IndianPolitics #IndiraGandhi #Emergency

LEAVE A REPLY

Please enter your comment!
Please enter your name here