ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନରେ ଥିବା ଭାରତୀୟ ଦୂତାବାସରେ ଓଡ଼ିଶାର ବିଭିନ୍ନ କଳା କାରିଗରିଗୁଡ଼ିକ ପ୍ରଦର୍ଶିତ ହେଉଛି। ଭାରତ ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମକୁ ବିଶ୍ଵବ୍ୟାପି ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ମଙ୍ଗଳବାରଠାରୁ ଏହି ପ୍ରଦର୍ଶନୀ ଆରମ୍ଭ ହୋଇଛି। ବାହାରିନ ଓଡ଼ିଆ ସମାଜର ସହଯୋଗରେ ଆଗାମୀ ୨ ମାସ ଯାଏଁ ପ୍ରଦର୍ଶନୀ ଚାଲିବ।

ଏହି ପ୍ରଦର୍ଶନୀରେ ପୁରୀ ଜିଲ୍ଲା ରଘୁରାଜପୁରର ପଟ୍ଟଚିତ୍ର ଓ ପିପିଲିର ଚାନ୍ଦୁଆ, ମୟୂରଭଞ୍ଜର ଆଦିବାସୀ ଉତ୍ପାଦ, କଟକର ତାରକସୀ କାମ, ଢେଙ୍କାନାଳର ଡୋକ୍ରା, ଗଞ୍ଜାମର ଶିଙ୍ଗକାମ, ସମ୍ବଲପୁରର ବାନ୍ଧକଳା ଆଦି ବିଭିନ୍ନ ଉତ୍ପାଦ ପ୍ରଦର୍ଶିତ ହେଉଛି। ଏହି ସବୁ କଳା କାରିଗରିକୁ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ଦ୍ୱାରା ଓଡ଼ିଶାରୁ ଅଣାଯାଇ ଭାରତୀୟ ଦୂତାବାସରେ ପ୍ରଦର୍ଶିତ କରାଯାଉଛି।

ପ୍ରଦର୍ଶନୀର ପ୍ରଥମ ଦିନର କାର୍ଯ୍ୟକ୍ରମରେ ଦୂତାବାସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ଡକ୍ଟର ଅରୁଣ କୁମାର ପ୍ରହରାଜ ଏବଂ ବାହାରିନ ଓଡ଼ିଆ ସମାଜର ଅନ୍ୟ ସଦସ୍ୟମାନେ ଯୋଗଦେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଉତ୍ପାଦଗୁଡ଼ିକ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ।

“ଆତ୍ମନିର୍ଭର ଭାରତ ଆହ୍ଵାନର ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ସ୍ୱରୂପ ଓଡ଼ିଶାର ଗ୍ରାମୀଣ କଳାକାରମାନେ ଏହାକୁ ଅତି ନିଖୁଣ ଭାବରେ ହସ୍ତକଳା ମାଧ୍ୟମରେ ରୂପାୟିତ କରିପାରିଛନ୍ତି। ଏହା ଆମର ସମୃଦ୍ଧ କୁଟୀର ଶିଳ୍ପକୁ ସାରା ବିଶ୍ଵରେ ପ୍ରଦର୍ଶିତ କରୁଛି। ବିଦେଶୀ ମାଟିରେ ସବୁ ଓଡ଼ିଆ ବ୍ୟକ୍ତି ଓଡ଼ିଶାର ବ୍ରାଣ୍ଡ ଆମ୍ବାସାଡର ଭାବରେ କାର୍ଯ୍ୟ କରିବା ଦରକାର, ଯାହା ଆଗାମୀ ଦିନରେ ଓଡ଼ିଶାର ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବିକାଶ କରିବାରେ ସହାୟକ ହେବ”, କହିଛନ୍ତି ଡକ୍ଟର ଅରୁଣ କୁମାର ପ୍ରହରାଜ।

ଓଡ଼ିଶାର କଳା କାରିଗରିଗୁଡ଼ିକ ଅତ୍ୟନ୍ତ ଲୋଭନୀୟ ଓ ଆକର୍ଷଣୀୟ ବୋଲି ଏହି କାର୍ଯ୍ୟକ୍ରମରେ ବାହାରିନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୋଦ କେ ଯାକବ ପ୍ରକାଶ କରିଥିଲେ। ସେ ଓଡ଼ିଶାର ଉତ୍ପାଦକୁ ଭୁରି ଭୁରି ପ୍ରଶଂସା କରିବା ସହିତ ନିଜର ବକ୍ତବ୍ୟ ଓଡ଼ିଆ ଭାଷାରେ ଦେଇଥିଲେ।

ଏହି ଅବସରରେ ବାହାରିନ ଓଡ଼ିଆ ସମାଜର ମହିଳା ସଦସ୍ୟମାନେ ଦୂତାବାସରେ ଓଡ଼ିଶାର ରାଜ୍ୟ ସଂଗୀତ ଗାନ କରିବା ସହିତ ଓଡ଼ିଶୀ ଏବଂ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରିଥିଲେ।

ଏହି ପ୍ରଦର୍ଶନୀରେ ଓଡ଼ିଶା ସମେତ ରାଜସ୍ଥାନ, ଜମ୍ମୁ କଶ୍ମୀର, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକର ବିଭିନ୍ନ କଳା କାରିଗରି ଉତ୍ପାଦ ପ୍ରଦର୍ଶିତ ହେଉଛି।

Tags: #ArtandCraftExhibition #Odisha #IndianEmbassy #BahrainOdiaSamaj #Bahrain

LEAVE A REPLY

Please enter your comment!
Please enter your name here