ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଚଳିତ ଥର ଜୁଲାଇ ୭ ଓ ୮ ତାରିଖ ଦୁଇଦିନ ଧରି ଚାଲିବ ଶ୍ରୀଗୁଣ୍ଡିଚା ଯାତ୍ରା। ଗୋଟିଏ ଦିନରେ ବଡ଼ଠାକୁରଙ୍କର ତିନି ତିନିଟି ବଡ଼ ନୀତିକାନ୍ତି ପଡ଼ୁଥିବାରୁ ଏଥର ନବଯୌବନ ଦର୍ଶନ ସହ ପହଣ୍ଡି ଟିକେଟ ବିକ୍ରି ବନ୍ଦ ରଖିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି। ଫଳରେ ଚଳିତ ବର୍ଷ ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ।

୧୯୭୧ ମସିହା ଭଳି ଏଥର ଶ୍ରୀକ୍ଷେତ୍ରରେ ରଥଯାତ୍ରା ନୀତିକାନ୍ତି କରାଯିବ। ଦୁଇଦିନ ଶ୍ରୀଗୁଣ୍ଡିଚା ଯାତ୍ରା ହେବାକୁ ଥିବାରୁ ଏହା ଉଭୟ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ଶ୍ରୀଗୁଣ୍ଡିଚା ଦିନ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ କିମ୍ବା ନବଯୌବନ ଦର୍ଶନ କରିପାରିବେ ନାହିଁ। ସିଧା ରଥ ଉପରେ ଠାକୁରଙ୍କୁ ଦର୍ଶନ କରିବେ ଭକ୍ତ। ଛତିଶା ନିଯୋଗରେ ଅନୁମୋଦିତ ରଥଯାତ୍ରା ନୀତିକାନ୍ତି ଏବଂ ବ୍ୟବସ୍ଥା ଉପରେ ବୁଧବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିବା ପରେ ରଥଯାତ୍ରାର ଚିତ୍ର ସ୍ପଷ୍ଟ ହୋଇଛି।

ଜୁଲାଇ ୭ ତାରିଖ ଅପରାହ୍ଣ ୫ଟାରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଅଳ୍ପ ସମୟ ରଥ ଗଡ଼ିଥିବାରୁ ପୁଣି ଜୁଲାଇ ୮ ତାରିଖରେ ତିନି ରଥ ଟାଣିବାର ସୁଯୋଗ ପାଇବେ ଭକ୍ତ। ଜୁଲାଇ ୭ ତାରିଖରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ।

Tags: #Rathayatra #ShreeGundicha #ShreeMandirPuri #NabajoubanDarshan #ShreeJagannath

Comment