ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମଦେବୀକୁ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ।

ପବିତ୍ର ରଥଯାତ୍ରା ପାଇଁ ଏବେଠୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲାଣି ଭକ୍ତଙ୍କ ଭିଡ଼। ଏହାରି ମଧ୍ୟରେ ବଡ଼ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ହୋଇଛି ନୀତି ନିର୍ଘଣ୍ଟ। ଶୁକ୍ରବାର ସକାଳ ୯ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବ ଏବଂ ଅପରାହ୍ଣ ୪ଟାରେ ଆରମ୍ଭ ହେବ ରଥଟଣା କାର୍ଯ୍ୟ।

ଜୁନ ୨୭ ତାରିଖ, ଆଷାଢ଼ ମାସର ଶୁକ୍ଲପକ୍ଷ ଦ୍ଵିତୀୟା ତିଥି ଶୁକ୍ରବାର ଦିନ ବଡ଼ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବଦିନ ଅନୁଷ୍ଠିତ ହୋଇଛି ବଡ଼ଠାକୁରଙ୍କ ନବଯୌବନ ଦର୍ଶନ।

ସକାଳ ୬ଟାରେ ମଙ୍ଗଳ ଆଳତି, ୬ଟା ୧୦ରେ ମଇଲମ ନୀତି, ସକାଳ ୬ଟା ୩୦ରେ ତଡ଼ପଲାଗି ନୀତି ଓ ରୋଷ ହୋମ, ସକାଳ ୭ଟାରେ ଅବକାଶ ନୀତି, ସକାଳ ୭ଟା ୧୦ରେ ସୂର୍ଯ୍ୟ ପୂଜା, ସକାଳ ୭ଟା ୩୦ରୁ ଦ୍ଵାରପାଳ ପୂଜା ଓ ବେଶ ଶେଷ ହେବ।

ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ। ସକାଳ ୯ଟା ୧୫ରେ ମଙ୍ଗଳାର୍ପଣ। ଏହା ପରେ ସକାଳ ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ଦିନ୧୨ଟା ୩୦ରେ ପହଣ୍ଡି ଶେଷ ହେବ। ଏହା ପରେ ଦିନ ୧୨ଟା ୩୦ରୁ ୧ଟା ଶ୍ରୀମଦନ ମୋହନ ଏବଂ ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ ନୀତି ଅନୁଷ୍ଠିତ ହେବ। ଦିନ ୧ଟା ୩୦ରୁ ୨ଟା ଚିତା ଲାଗି ନୀତି, ଦିନ ୧ଟା ୩୦ରୁ ୨ଟା ୩୦ ବେଶ ଶେଷ ହେବ।

ଅପରାହ୍ଣ ୨ଟା ୩୦ରୁ ୩ଟା ୩୦ ଯାଏଁ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରେ ଚାଳମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା କାର୍ଯ୍ୟ ଶେଷ ହେବ। ଅପରାହ୍ଣରେ ଆରମ୍ଭ ହେବ ରଥଟଣା କାର୍ଯ୍ୟ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ।

Tags: #RathYatra #ShreeGundicha #Tradition #Puri #Odisha #ShreeJagannath

Comment