ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ଶୁକ୍ରବାର ପ୍ରବଳ ବର୍ଷା ହୋଇଛି। ବର୍ଷା ଫଳରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି ଏବଂ ଅନେକ ଘରେ ପାଣି ପସିବା ସହ ବ୍ୟପକ କ୍ଷୟକ୍ଷତି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଛି। ବର୍ଷାରେ ନୂଆଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍-୧ର ଛାତର କିଛି ଅଂଶ ଭୁଶୁଡ଼ି କାର ଉପରେ ପଡ଼ିଯିବା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଛନ୍ତି।
ଦିଲ୍ଲୀ ଏନସିଆର ଅଞ୍ଚଳରେ ଗୁରୁବାରଠାରୁ ମୌସୁମୀ ପ୍ରଭାବରେ ବର୍ଷା ଲାଗି ରହିଥିଲା। ତେବେ ଶୁକ୍ରବାର ଭୋର ସମୟରେ ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରାୟ ୧୫ ସେଣ୍ଟି ମିଟର ବର୍ଷା ହୋଇଥିଲା। ଏହା ଫଳରେ ବିଭିନ୍ନ ଅଞ୍ଚଳରେ ପାଣି ଭରିବାରେ ଲାଗିଲା।
ତେବେ ବର୍ଷା ସହ ଜୋରରେ ପବନ ହେବାରୁ ନୂଆଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍-୧ର ଛାତର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଥିବା କିଛି କାର ଉପରେ ଛାତର ଲୁହା ବିମ ଆସି ପଡ଼ିଥିଲା। ଫଳରେ ଜଣେ କାର ଚାଳକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଅନ୍ୟ କିଛି ଲୋକ ଆହତ ହୋଇଥିଲେ।
ଛାତ ଭୁଶୁଡ଼ିବା ପରେ ଉକ୍ତ ଟର୍ମିନାଲର ସବୁ କାର୍ଯ୍ୟକୁ ବନ୍ଦ କରାଯାଇଛି। ଏହାସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏଠାରୁ ସବୁ ବିମାନ ଉଡ଼ାଣକୁ ବାତିଲ କରି ଦିଆଯାଇଛି। ତେବେ ଯାତ୍ରୀମାନଙ୍କ ସୁବିଧା ପାଇଁ ବିମାନବନ୍ଦରର ଅନ୍ୟ ଟର୍ମିନାଲରୁ ସେମାନଙ୍କ ପାଇଁ ଅନ୍ୟ ବିମାନର ବ୍ୟବସ୍ଥା କରାଯାଉଛି।
ଅନ୍ୟପଟେ କେନ୍ଦ୍ର ନାଗରିକ ଉଡ୍ଡୟନ ମନ୍ତ୍ରୀ ରାମ ମୋହନ ନାଇଡୁ ଶୁକ୍ରବାର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି। ଡିଜିସିଏ ପକ୍ଷରୁ ଏହି ଅଘଟଣର ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Tags: #IGIAirport #Accident #HeavyRains #Delhi