ଓଡ଼ିଶାଲାଇଭ୍ ବ୍ୟୁରୋ

ତୃତୀୟଥର ପାଇଁ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପର ଫାଇନାଲ ଖେଳିବ ଭାରତ। ଚଳିତ ବିଶ୍ଵକପରେ ଗୁରୁବାର ହୋଇଥିବା ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଶନିବାର ଦଳ ବିଶ୍ଵକପ ଟ୍ରଫି ହାତେଇବା ପାଇଁ ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ ହେବ।

ଏହା ପୂର୍ବରୁ ୨୦୦୭ ଓ ୨୦୧୪ ମସିହା ଟି-ଟ୍ୱେଣ୍ଟି ବିଶ୍ଵକପର ଫାଇନାଲ ଖେଳିଥିଲା ଭାରତ। ସେଥିରୁ ଦଳ କେବଳ ୨୦୦୭ର ଟୁର୍ଣ୍ଣାମେଣ୍ଟ ଜିତିଥିବାବେଳେ ୨୦୧୪ରେ ରନରଅପ୍ ହୋଇଥିଲା। ଆସନ୍ତୁ ଜାଣିବା ଟି-ଟ୍ୱେଣ୍ଟି ବିଶ୍ଵକପରେ ଭାରତ ଖେଳିଥିବା ପୂର୍ବ ଦୁଇଟି ଫାଇନାଲରେ କିଭଳି ରହିଛି ରେକର୍ଡ।

୨୦୦୭ ଟି-ଟ୍ୱେଣ୍ଟି ବିଶ୍ଵକପ

ଆଇସିସି ପକ୍ଷରୁ ୨୦୦୭ ମସିହାରେ ଆରମ୍ଭ ହୋଇଥିଲା ଟି-ଟ୍ୱେଣ୍ଟି ବିଶ୍ଵକପ। ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିଲା ଏହାର ପ୍ରଥମ ସଂସ୍କରଣ। ଏଥିରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ବିଶ୍ଵ ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ।

୨୦୦୭ ଟି-ଟ୍ୱେଣ୍ଟି ବିଶ୍ଵକପରେ ଭାରତ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଦଳକୁ ପଛରେ ପକାଇ ଫାଇନାଲକୁ ଆସିଥିଲା। ଏହି ଟୁର୍ଣ୍ଣାମେଣ୍ଟର ସୁପର-୮ ପର୍ଯ୍ୟାୟରେ ଇଂଲଣ୍ଡ ବିପକ୍ଷରେ ଯୁବରଜ ସିଂହ ମାରିଥିବା ଗୋଟିଏ ଓଭରରେ ୬ଟି ଛକା ଆଜି ବି ସମସ୍ତଙ୍କ ମନରେ ଉଜ୍ଜୀବିତ ରହିଛି।  

ଏହି ଟୁର୍ଣ୍ଣାମେଣ୍ଟର ରୋମଞ୍ଚକର ଫାଇନାଲରେ ଭାରତ ୫ ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୫୭ ରନ ସଂଗ୍ରହ କରିଥିଲା। ତେବେ ଦ୍ଵିତୀୟ ଇନିଂସରେ ପାକିସ୍ତାନକୁ ୧୯.୩ ଓଭର ୧୫୨ ରନରେ ଅଲଆଉଟ କରି ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ।  

ଏହା ସହ ପ୍ରଥମ ଟି-ଟ୍ୱେଣ୍ଟି ଟାଇଟଲ ହାସଲ କରିବାର ଗୌରବ ଅର୍ଜନ କରିଥିଲା ଭାରତ। ଏହି ଦଳରେ ବିରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର, ରୋହିତ ଶର୍ମା, ଇରଫାନ ପଠାନ, ୟୁସୁଫ ପଠାନ, ହରଭଜନ ସିଂହଙ୍କ ଭଳି ଖେଳାଳିମାନେ ରହିଥିଲେ।    

୨୦୧୪ ଟି-ଟ୍ୱେଣ୍ଟି ବିଶ୍ଵକପ

୨୦୧୪ ମସିହାରେ ବାଙ୍ଗଲାଦେଶରେ ହୋଇଥିଲା ଟି-ଟ୍ୱେଣ୍ଟି ବିଶ୍ଵକପର ପଞ୍ଚମ ସଂସ୍କରଣ। ଏଥିରେ ପୁଣି ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଦଳର ନେତୃତ୍ୱ ନେଇଥିବାବେଳେ ବିରାଟ କୋହଲୀ ଉପଅଧିନାୟକ ରହିଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୱେଷ୍ଟଇଣ୍ଡିଜ, ପାକିସ୍ତାନ, ଅଷ୍ଟ୍ରେଲିଆ, ବାଙ୍ଗଲାଦେଶ ଭଳି ଦଳମାନଙ୍କୁ ପଛରେ ପକାଇ ସେମିଫାଇନାଲକୁ ଆସିଥିଲା। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲକୁ ଯାଇଥିଲା ଟିମ୍ ଇଣ୍ଡିଆ।

ତେବେ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କା ସହ ମୁହାଁମୁହିଁ ହୋଇଥିଲା। ଏଥିରେ ଶ୍ରୀଲଙ୍କା ଭାରତକୁ ପରାସ୍ତ କରିଥିଲା। ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୩୦ ରନ ସଂଗ୍ରହ କରିଥିଲା। ହେଲେ ଦ୍ଵିତୀୟ ଇନିଂସରେ ଶ୍ରୀଲଙ୍କା ଏହି ଟାର୍ଗେଟ ହାସଲ କରି ଚାମ୍ପିୟନ ହୋଇଥିଲା।   

ଅନ୍ୟପଟେ ୨୦୧୬ ଓ ୨୦୨୨ ମସିହା ଟି-ଟ୍ୱେଣ୍ଟି ବିଶ୍ଵକପରେ ଭାରତ ସେମିଫାଇନାଲରେ ପରାସ୍ତ ହୋଇଥିଲା। ଏବେ ଭାରତୀୟ ଦଳ ନିଜର ଦ୍ଵିତୀୟ ଟି-ଟ୍ୱେଣ୍ଟି ବିଶ୍ଵକପ ଟାଇଟଲ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲ ଖେଳିବ। ଏହି ମ୍ୟାଚଟି ଶନିବାର ରାତି ୮ଟା ବେଳେ ବାରବାଡୋସ ଆରମ୍ଭ ହେବ।

Tags: #ICCT20WorldCup #INDvsSA #India #Finals #Cricket #Sports #BCCI

LEAVE A REPLY

Please enter your comment!
Please enter your name here