ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପର ମେଗା ଫାଇନାଲ। ବାରବାଡୋସର କେନସିଂଟନ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ସହ ଟକ୍କର ନେବ ଟିମ୍ ଇଣ୍ଡିଆ। ଦ୍ଵିତୀୟଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ଵକପ ଜିତି କୋଟି କୋଟି କ୍ରିକେଟପ୍ରେମୀଙ୍କ ସ୍ଵପ୍ନକୁ ପୂରଣ କରିବାର ଭାରତୀୟ ଦଳ ପାଇଁ ଏହା ଆଉ ଏକ ସୁଯୋଗ। ସାରା ଦେଶ ଆଜି ଏହି ମ୍ୟାଚକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି।

ଚଳିତ ଟି-ଟ୍ୱେଣ୍ଟି ବିଶ୍ଵକପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବହୁତ ଦମଦାର ପ୍ରଦର୍ଶନ କରିଛି। ଲିଗ୍ ପର୍ଯ୍ୟାୟରେ ଦଳ ନିଜର ସବୁ ମ୍ୟାଚ ଜିତିଥିଲା। ସେହିପରି ସେମିଫାଇନାଲରେ ଦଳ ଇଂଲଣ୍ଡକୁ ହରାଇ ଫାଇନାଲରେ ପଦାର୍ପଣ କରିଛି।

ମାସେ ଧରି ଚାଲିଥିବା ଏହି ବିଶ୍ଵକପରେ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି ଭାରତ। ତେବେ ବିଶ୍ଵକପରେ ଟିମ ଇଣ୍ଡିଆ ଯେଉଁ ଅପରାଜୟ ରହିବାର ଧାରା ବନେଇଛି ତାହାକୁ ପୁଣି ଦୋହରାଇବାକୁ ଲକ୍ଷ୍ୟ ରଖିଛି। 

ଭାରତୀୟ ଖେଳାଳି ରୋହିତ ଶର୍ମା, ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ ଓ ଯଶପ୍ରୀତ ବୁମରାହଙ୍କ ପ୍ରଦର୍ଶନ ଉପରେ ଫାଇନାଲରେ ସମସ୍ତଙ୍କ ନଜର ରହିବ। ଚଳିତ ବିଶ୍ଵକପରେ ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୨୪୮ ରନ୍‌ କରିଥିବାବେଳେ ଅର୍ଶଦୀପ ସିଂହ ୧୫ଟି ୱିକେଟ୍। ସ୍ପିନ୍ ବିଭାଗରେ ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ପ୍ରଭାବୀ ପ୍ରଦର୍ଶନ ଭାରତୀୟ ଦଳକୁ ଆହୁରି ମଜବୁତ କରିଛି।

ଅନ୍ୟପଟେ ଚଳିତ ଟି-ଟ୍ୱେଣ୍ଟି ବିଶ୍ଵକପରେ ଦକ୍ଷିଣ ଆଫ୍ରିକା ମଧ୍ୟ ଅପରାଜୟ ରହି ଫାଇନାଲକୁ ଆସିଛି। ସେମିଫାଇନାଲ୍‌ରେ ଦଳ ଆଫଗାନିସ୍ତାନକୁ ଚିତପଟାଙ୍ଗ କରିଥିଲା। ଏଥିପାଇଁ ଆଜି ଏଡେନ ମାର୍କରମଙ୍କ ଦଳ ଭାରତ ବିପକ୍ଷରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା କରିବ ବୋଲି ଆଶା କରାଯାଉଛି।

ମ୍ୟାଚରେ କୁଇଣ୍ଟନ ଡି’ କକ୍, ହେନେରକ୍ କ୍ଲାସେନ୍, ଡେଭିଡ୍ ମିଲରଙ୍କ ବ୍ୟାଟିଂ ଏବଂ କଗିସୋ ରାବାଡା, ଏନରିକ ନର୍କିୟା, କେଶବ ମହାରାଜ ଓ ତବରେଜ୍ ସମସିଙ୍କ ବୋଲିଂ ଭାରତକୁ ଦ୍ଵନ୍ଦ୍ଵରେ ପକାଇବାର ସମ୍ଭାବନା ରହିଛି। ତେବେ ଦକ୍ଷିଣ ଆଫ୍ରିକାର ବୋଲିଂ ଅଟାକକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଭାରତ ନିଜର ଓପନିଂକୁ ଭଲ କରିବା ପାଇଁ ସବୁ ପ୍ରୟାସ କରିବ।

୨୦୦୭ ମସିହାରେ ମହେନ୍ଦ୍ର ସିଂହ‌ ଧୋନିଙ୍କ ନେତୃତ୍ଵରେ ଭାରତ ଟି-ଟ୍ୱେଣ୍ଟି ବିଶ୍ଵ ଚାମ୍ପିୟନ ହୋଇଥିଲା। ତେବେ ୨୦୧୩ ମସିହାର ଚାମ୍ପିୟନ୍ସ ଟ୍ରଫିକୁ ଜିତିବା ପରଠୁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତି ନାହିଁ ଟିମ୍ ଇଣ୍ଡିଆ। ୧୧ ବର୍ଷ ପରେ ଏହି ଅପେକ୍ଷା ଦୂର କରିବାର ସୁଯୋଗ ରୋହିତ ଶର୍ମାଙ୍କ ବାହିନୀ ପାଖରେ ରହିଛି।

ତେବେ ୧୭ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣି ଟି-ଟ୍ୱେଣ୍ଟି ବିଶ୍ଵକପ ଟ୍ରଫି କବ୍ଜା କରୁ ବୋଲି ସବୁ ଭାରତୀୟ କ୍ରିକେଟପ୍ରେମୀ ଆଶା ରଖିଛନ୍ତି। ଏଥିପାଇଁ ସମସ୍ତେ ଦଳୁ ଶୁଭକାମନା ଜଣାଇଛନ୍ତି। ତେବେ ଆଜିର ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍ ଲଢ଼େଇ କ୍ରିକେଟପ୍ରେମୀଙ୍କୁ ଏକ ମନୋରଞ୍ଜନଭରା, ଉତ୍କଣ୍ଠାପୂର୍ଣ୍ଣ ତଥା ରୋମଞ୍ଚକର ଅନୁଭୂତି ଦେବ ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ଦେଇଛନ୍ତି।  

Tags: #ICCT20WorldCup #Final #IndiavsSouthAfrica #Cricket #Barbados #Sports #ICC

LEAVE A REPLY

Please enter your comment!
Please enter your name here