ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ମଙ୍ଗଳବାର ଏକ ବଡ଼ ଅଘଟଣ ଘଟିଛି। ଜିଲ୍ଲାର ରତିଭାନପୁର ଗାଁରେ ଏକ ସତସଙ୍ଗ ସମାରୋହରେ ଦଳାଚକଟା ହୋଇ ୧୨୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକ ମହିଳା ରହିଛନ୍ତି।

ଏହି ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ଲୋକଙ୍କୁ ଡାକ୍ତରଖାନାକୁ ନିଆଯାଉଛି। ତେବେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।

ତେବେ ସତସଙ୍ଗରେ ଦଳାଚକଟାର ପ୍ରକୃତ କାରଣ ଏ ଯାଏଁ ଜଣାପଡ଼ିନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସତସଙ୍ଗ ସମୟରେ ଉକ୍ତ ସ୍ଥାନରେ ପ୍ରବଳ ଗରମ ଯୋଗୁଁ କିଛି ଲୋକ ବେହୋସ ହେବାକୁ ଲାଗିଲେ। ଏହାକୁ ଦେଖି ବହୁତ ଲୋକ ଭୟଭୀତ ହୋଇ ଦୌଡ଼ିବାରୁ ଦଳାଚକଟା ହୋଇଛି।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପାଇଁ ଏଡିଜି ଆଗ୍ରା ଏବଂ ଆଲିଗଡର କମିଶନରଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି।

ହାଥରସର ରତିଭାନପୁର ଗାଁରେ ଭୋଲେ ବାବା ନାମକ ଜଣେ ସାଧୁଙ୍କ ସତସଙ୍ଗ ଚାଲିଥିଲା। ମଙ୍ଗଳବାର ଏହାର ଉଦ୍‌ଯାପନୀ ସମାରୋହ ଥିଲା। ଏଥିଲାଗି ସଭାସ୍ଥଳରେ ୧ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ତେବେ ଏତେ ସଂଖ୍ୟାରେ ଆସିଥିବା ଲୋକଙ୍କ ପାଇଁ ଆୟୋଜକମାନେ ଆବଶ୍ୟକୀୟ ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି।      

Tags: #Stamped #Satsang #People #Hathras #UttarPradesh

LEAVE A REPLY

Please enter your comment!
Please enter your name here