ଓଡ଼ିଶାଲାଇଭ୍ ବ୍ୟୁରୋ

ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ। ଏନେଇ ଶୁକ୍ରବାର ଓଡ଼ିଶା ସରକାର ଘୋଷଣା କରିଛନ୍ତି। ଏହା ଅଙ୍ଗଦାନ ପାଇଁ ଅନ୍ୟ ଲୋକମାନଙ୍କୁ ପ୍ରେରଣା ଦେବ ବୋଲି ସରକାର ଆଶା ରଖିଛନ୍ତି।

ଅଙ୍ଗଦାନ ଏକ ମହତ ଦାନ। ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟମାନେ ସାହସିକ ନିଷ୍ପତ୍ତି ନେଇ ଅଙ୍ଗଦାନ ପାଇଁ ସ୍ୱୀକୃତି ପ୍ରଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ସେହିପରି ଓଡ଼ିଶାରେ ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ପାଇଁ ୨୦୧୯ ମସିହାରେ ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ (ସୋଟ୍ଟୋ) ପ୍ରତିଷ୍ଠା ହୋଇଥିଲା। ଏହାସହ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି।

ରାଜ୍ୟରେ ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ୨୦୨୦ ମସିହାରୁ ‘ସୁରଜ’ ପୁରସ୍କାର ଆରମ୍ଭ କରିଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୁରଜଙ୍କ ନାମରେ ଏହି ପୁରସ୍କାର ପ୍ରଚଳନ କରାଯାଇଛି।

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ସୁରଜଙ୍କ ମସ୍ତିଷ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ସୁରଜଙ୍କର ଶରୀରର ଗୁରୁତ୍ୱପୂର୍ଣ ଅଙ୍ଗଗୁଡିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଗୁରୁତ୍ୱପୂର୍ଣ ଅଙ୍ଗଗୁଡ଼ିକ ୬ ଜଣ ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥିଲା।

ପ୍ରତିବର୍ଷ ବିଶ୍ୱ ଅଙ୍ଗଦାନ ଦିବସ ଅଗଷ୍ଟ ୧୩ ତାରିଖରେ ଓଡ଼ିଶା ସରକାର ରାଜ୍ୟରେ ଅଙ୍ଗଦାନ କରିଥିବା ଲୋକଙ୍କ ନିକଟତମ ଆତ୍ମୀୟଙ୍କୁ ସମ୍ମାନିତ ମଧ୍ୟ କରିଆସୁଛନ୍ତି।

Tags: #OrganDonation #People #HealthCare #GovtofOdisha  

LEAVE A REPLY

Please enter your comment!
Please enter your name here