ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ସକ୍ରିୟ ମୌସୁମୀ ପ୍ରଭାବରେ ବର୍ଷା ଲାଗି ରହିଛି। ରାଜ୍ୟର ଉତ୍ତରରୁ ଦକ୍ଷିଣ ଏବଂ ଉପକୂଳରୁ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେଉଛି। ଜୁଲାଇ ୮ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ୫ ଓ ୬ ତାରିଖରେ ରାଜ୍ୟରେ ରାଜ୍ୟରେ ଅଳ୍ପ ବର୍ଷା ଥିବାବେଳେ ଜୁଲାଇ ୭ ତାରିଖରେ ଅନେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିରେ ମାଲକାନଗିରି, କୋରାପୁଟ, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ସେହିପରି ରାୟଗଡ଼ା, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ଜୁଲାଇ ୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

ଜୁନ୍ ୮ ତାରିଖରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥିଲା। ଏହା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮୫ ମିଲିମିଟର ହୋଇଛି, ଯାହାକି ସ୍ଵାଭାବିକଠାରୁ ୨୫ ପ୍ରତିଶତ କମ୍ ରହିଛି। ମାଲକାନଗିରିରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ରାଜ୍ୟର ୧୫ରୁ ଅଧିକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।

ଜୁଲାଇ ମାସରେ ଓଡ଼ିଶାରେ ସ୍ଵାଭାବିକ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ କିଛି ସ୍ଥାନରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହେବାସହ କିଛି ସ୍ଥାନରେ ନିଅଣ୍ଟିଆ ବର୍ଷା ହେବାର ସମ୍ଭାବନା ରହିଛି।

Tags: #Weather #Monsoon #Rainfall #MCBBSR #Odisha

LEAVE A REPLY

Please enter your comment!
Please enter your name here