ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥ। ଏହା ପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ୧୨ ଜଣିଆ କମିଟିକୁ ଗୁରୁବାର ଦିନ ଭଙ୍ଗାଯାଇଛି।

ଆସନ୍ତାକାଲି, ଜୁନ ୬ ତାରିଖରେ ଶ୍ରୀଜଗନ୍ନାଥ ସମ୍ମିଳନୀ କକ୍ଷରେ ନୂଆ କମିଟିର ପ୍ରଥମ ବୈଠକ ବସିବ। ରତ୍ନଭଣ୍ଡାର କେବେ ଖୋଲାଯିବ ଏବଂ କେବେ ଗଣତି, ମଣତି ହେବ ସେ ନେଇ ବୈଠକ ନିଷ୍ପତ୍ତି ହେବ।

ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବା ପରେ ଜଷ୍ଟିସ ବିଶ୍ଵନାଥ ରଥ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମହାପ୍ରଭୁଙ୍କ କାମ କରିବାକୁ ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର କଥା। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପରେ ଗଣତି ଓ ମଣତି କରାଯିବା ଆମର ପ୍ରଥମ ଦାୟିତ୍ଵ ରହିବ ବୋଲି ସେ କହିଛନ୍ତି।

ନୂଆ କମିଟିରେ ସଦସ୍ୟ ଅଛନ୍ତି ଡାକ୍ତର ସିବିକେ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ ଜୀ, ହରିହର ହୋତା, ଗଜପତି ମହାରାଜାଙ୍କ ପ୍ରତିନିଧି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପ୍ରତ୍ନତତ୍ତ୍ୱ ବିଭାଗର ପ୍ରତିନିଧି, ମଧୁସୂଦନ ସିଂଘାରୀ, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲ୍ଲାପାଳ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ।

ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ଏହି ମାମଲା ଓଡ଼ିଶା ହାଇକୋର୍ଟରେ ପହଞ୍ଚିବା ପରେ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଗତବର୍ଷ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୨୪ ଫେବ୍ରୁଆରି ୨୯ ତାରିଖରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ କମିଟି ଗଠନ କରିଥିଲେ ବିଜେଡି ସରକାର।

ନିର୍ବାଚନର କିଛି ମାସ ପୂର୍ବରୁ ବିଜେଡି ସରକାର ଗଠନ କରିଥିବା ଏହି କମିଟି ରତ୍ନଭଣ୍ଡାର ଯାଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଏହି କମିଟିକୁ ଭାଙ୍ଗି ନୂଆ କମିଟି ଗଢ଼ିଛନ୍ତି ନୂଆ ସରକାର। ସରକାର ଗଢ଼ିଲେ ରତ୍ନଭଣ୍ଡାର ଖୋଲାଯିବ ବୋଲି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ନିଜ ପ୍ରତିଶ୍ରୁତି ପାଳନ କରିବାକୁ ଏବେ ତତ୍ପରତା ପ୍ରକାଶ କରିଛି ଦଳ।

Tags: #Ratnabhandar #Shreemandir #NewCommittee #Puri #Odisha #OdishaGovt

LEAVE A REPLY

Please enter your comment!
Please enter your name here