ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା କର୍ପୋରେଟ ଫାଉଣ୍ଡେସନର (ଓସିଏଫ୍) ସମ୍ମିଳନୀ। ଏଠାରେ ରାଜ୍ୟର ଅନେକ ମହିଳା ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯିବ। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏନେଇ ଫାଉଣ୍ଡେସନ ପକ୍ଷରୁ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଯୋଗଦେବେ। ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ୩୦ ଜଣ ମହିଳା ଉଦ୍ୟୋଗୀଙ୍କୁ ଲାଲଚାନ୍ଦ ମହିଳା ଉଦ୍ୟୋଗୀ ପୁରସ୍କାରରେ ସମ୍ମାନିତ କରାଯିବ।

“ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରି ସେମାନଙ୍କ ସାମୂହିକ ନେତୃତ୍ଵରେ ରାଜ୍ୟକୁ ଏକ ଗ୍ଲୋବାଲ ଏଣ୍ଟରପ୍ରାଇଜ୍‌ ହବରେ ପରିଣତ କରିବା ଆମ ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ। ଯେଉଁ ମହିଳାମାନେ ଉଦ୍ୟୋଗ କିମ୍ବା ବ୍ୟବସାୟ କ୍ଷେତ୍ରରେ ସଫଳ ହୋଇ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଆମେ ସମ୍ମାନିତ କରିଆସୁଛୁ। ଏହା ସେମାନଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ଆମର ଆଶା”, କହିଛନ୍ତି ଓସିଏଫର ବରିଷ୍ଠ ପରାମର୍ଶଦାତା ବିନୋଦ କୁମାର ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଲାଲଚାନ୍ଦ ଗ୍ରୁପର ମୁଖ୍ୟ ସଞ୍ଜୟ ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ଏହାସହ ଏଠାରେ ଉଦ୍ୟୋଗ ଓ ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି, ନିବେଶକ ଓ ପଲିସିମେକରମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

“ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କୁ ସଫଳ କରିବା ପାଇଁ ଓସିଏଫ୍ ପକ୍ଷରୁ ସବୁ ପ୍ରକାର ସହାୟତା କରାଯାଉଛି। ସେମାନଙ୍କ ମନୋବଳକୁ ଆହୁରି ଦୃଢ଼ କରିବା ଲାଗି ଆମେ ସେମାନଙ୍କୁ ସମ୍ମାନିତ କରୁଛୁ। ୨୦୧୯ରୁ ଫାଉଣ୍ଡେସନ ଆରମ୍ଭ ହେବ ସମୟରୁ ୮ ଥର ଏହି ଭଳି ଆୱାର୍ଡ ସମ୍ମିଳନୀର ଆୟୋଜନ କରି ସାରିଲୁଣି। ଏଥର ସମ୍ମାନ ପ୍ରଦାନ କରିବା ପାଇଁ ଆମେ ଏକ ବିଚାରକ ମଣ୍ଡଳୀର ଗଠନ କରିଥିଲୁ। ସେମାନଙ୍କ ଦ୍ଵାରା ମନୋନୀତ ହୋଇଥିବା ଉଦ୍ୟୋଗୀମାନଙ୍କୁ ଆମେ କାର୍ଯ୍ୟକ୍ରମରେ ସମ୍ମାନିତ କରିବୁ”, କହିଛନ୍ତି ଓସିଏଫ ମହିଳା ୱିଙ୍ଗର ଅଧ୍ୟକ୍ଷା ଉଷସୀ ରଥ।   

ଏହି କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀମାନଙ୍କୁ ନେଇ ବିଶେଷ ଟେକ୍ନିକାଲ ସେସନ ଅନୁଷ୍ଠିତ ହେବ। ଏଥିରେ ମହିଳା ଉଦ୍ୟୋଗୀମାନେ ସେମାନଙ୍କ ଉଦ୍ୟୋଗ ଯାତ୍ରାର ଅନୁଭୂତି ବିଷୟରେ କହିବେ। ସେହିପରି ଏକଧିକ ମହିଳା ଉଦ୍ୟୋଗୀ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନ ମଧ୍ୟ କରିବେ।

ଶୁକ୍ରବାର ଓସିଏଫ୍ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ରାଜ୍ୟ ସଭାପତି ବନ୍ଦିତା ତ୍ରିପାଠୀ, ପରାମର୍ଶଦାତା ପ୍ରମୋଦ କୁମାର ଶତପଥୀ, ଆବାହକ ନିବେଦିତା ନାୟକଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।

Tags: #OdishaCorporateFoundation #EntrepreneurAwards #WomenEntreprenures #Odisha   

LEAVE A REPLY

Please enter your comment!
Please enter your name here