ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶାଖାପାଟଣାର ଦଶପଲ୍ଲା ହିଲ୍ସଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ବିଶାଖାପାଟଣାର ହଜାର ହଜାର ପ୍ରବାସୀ ଓଡ଼ିଆଙ୍କ ସହ ସ୍ଥାନୀୟ ତେଲୁଗୁ ସମ୍ପ୍ରଦାୟର ଲୋକେ ମଧ୍ୟ ଯୋଗ ଦେଇଥିଲେ। ଗତ ୩୩ ବର୍ଷ ଧରି ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ଏଠାରେ ରଥଯାତ୍ରାର ଆୟୋଜନ କରାଯାଉଛି।

ବିଶାଖାପାଟଣାରେ ହୋଇଥିବା ରଥଯାତ୍ରାରେ ଦଶପଲ୍ଲା ହିଲ୍ସ ଶ୍ରୀଜଗନ୍ନାଥ ମନ୍ଦିରରୁଠାରୁ ପ୍ରାୟ ୬ କିଲୋମିଟର ଦୂର କୈଳାଶ ହିଲ୍ସ ନିକଟସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥଟଣା ହୋଇଥିଲା। ଚଳିତ ବର୍ଷ ଏହି ରଥଯାତ୍ରାରେ ଉତ୍କଳ ସାଂସ୍କୃତିକ ସମାଜର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ନାୟକ ଛେରା ପହଁରା କରିବା ପରେ ରବିବାର ଅପରାହ୍ଣ ୪ଟା ବେଳେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଏଠାରେ ଆନନ୍ଦ ଓ ଭକ୍ତିମୟ ପରିବେଶ ମଧ୍ୟରେ ରଥଟଣା କାର୍ଯ୍ୟକ୍ରମ ହୋଇଥିଲା। ପୁରୁଷଙ୍କ ସମେତ ବହୁ ମହିଳାମାନେ ମଧ୍ୟ ମହାପ୍ରଭୁଙ୍କ ରଥ ଟାଣିଥିଲେ। ରବିବାର ରାତି ୮ଟା ସମୟରେ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା।

ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ୯ ଦିନ ପର୍ଯ୍ୟନ୍ତ ପୂଜା ପାଇବେ। ଏଠାରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଅନୁଷ୍ଠାନ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ ବିଶାଖାପାଟଣା ସହରର ପେଦା ଗାଁଟିଯାଡ଼ା, ଷ୍ଟିଲପ୍ଲାଣ୍ଟ ଓ ଅଲିପୁରମଠାରେ ମଧ୍ୟ ଘୋଷଯାତ୍ରାର ଆୟୋଜନ ହୋଇଥିଲା।

Tags: #RathaJatra #JagannathTemple #UtkalSanskrutikaSamaj #Visakhapatnam

LEAVE A REPLY

Please enter your comment!
Please enter your name here