ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ
  • ବଢ଼ିବ ବିଭିନ୍ନ ବର୍ଗର ଶ୍ରମିକଙ୍କ ପାରିଶ୍ରମିକ
  • ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି
  • ପିଏମ୍ କିସାନ ଯୋଜନରେ ଯୋଡ଼ି ହେବେ ୬ ଲକ୍ଷ ଚାଷୀ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ନୂଆ ସରକାରଙ୍କ ଏହି ଦ୍ଵିତୀୟ କ୍ୟାବିନେଟ ବୈଠକ ହୋଇଥିଲା। ଏଥିରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶାରେ ବିଭିନ୍ନ ବର୍ଗର ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ରାଜ୍ୟରେ ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ବଢ଼ିବ।

ଏବେ ଅଣକୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୩୫୨ରୁ ୪୫୦ ଟଙ୍କା, ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୩୫୨ରୁ ୪୫୦ ଟଙ୍କା, କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୩୯୨ରୁ ୫୦୦ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୫୦୨ରୁ ୬୦୦ ଟଙ୍କାକୁ ବଢ଼ାଯାଇଛି।

ସେହିପରି ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିବାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହି ଅର୍ଥରେ ରାଜ୍ୟରେ ଓଡ଼ିଆ ଅସ୍ମିତା ଭବନ ଏବଂ ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ତାଳପତ୍ର ପୋଥି ସଂଗ୍ରହାଳୟ ଓ ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଚେୟାରର ପ୍ରତିଷ୍ଠା ହେବ। ଏହାସହ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ଏହାସହ ପିଏମ୍ କିସାନ ଯୋଜନରେ ରାଜ୍ୟର ଆଉ ୬ ଲକ୍ଷ ଚାଷୀଙ୍କୁ ଯୋଡ଼ିବା ପାଇଁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି। ପୂର୍ବରୁ ଏଥିରେ ବାଦ ପଡ଼ିଥିବା କ୍ଷୁଦ୍ର, ମଧ୍ୟମ ଓ ସହରାଞ୍ଚଳର ଚାଷୀଙ୍କୁ ସାମିଲ କରାଯିବ।  

ଅନ୍ୟପଟେ ରାଜ୍ୟରେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଓଡ଼ିଶାରେ ୧୮,୭୦୦ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ଓ ଏମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି କ୍ୟାବିନେଟରେ ଅନୁମୋଦନ କରାଯାଇଛି।

ଏହାସହ ରାଜ୍ୟରେ ଥିବା ସବୁ ଜଳସେଚନ ପ୍ରକଳ୍ପର ସୁଦୃଢ଼ୀକରଣ କରାଯିବା ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Tags: #CabinetMeeting #Govtproposals #StateCabinet #CMMohanCharanMajhi #Odisha

LEAVE A REPLY

Please enter your comment!
Please enter your name here